ସୋନୁଙ୍କ ଅଫିସରେ ଆୟକର ଚଢ଼ାଉ ପରେ ରାଜନୀତି

ସୋନୁଙ୍କ ଅଫିସରେ ଆୟକର ଚଢ଼ାଉ ପରେ ରାଜନୀତି

ସୋନୁଙ୍କ ଅଫିସରେ ଆୟକର ଚଢ଼ାଉ ପରେ ରାଜନୀତି


ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଡ ଆୟକର ବିଭାଗ ସ୍କାନରରେ । ତାଙ୍କ  ଅଫିସ ଓ ତାଙ୍କ ସହ ଲିଙ୍କ୍ ଥିବା ୬ଟି ସ୍ଥାନରେ ଘନଘନ ଚଢ଼ାଉ କରିଛି ଆୟକର ବିଭାଗ । କୋଭିଡ୍ ମହାମାରୀ ସଙ୍କଟ ସମୟରେ ଗରିବ ଲୋକଙ୍କୁ ସାହାଯ୍ୟ କରି ସାରା ଦେଶରେ ବାସ୍ତବ ଜୀବନର ନାୟକ ପାଲଟିଥିବା ସୋନୁଙ୍କ ଦପ୍ତରରେ ଆୟକର ଚଢ଼ାଉ ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି । 

  ଏହାକୁ ନେଇ ରାଜନୀତି ବି ତେଜିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ସତର ରାସ୍ତା କଠିନ ହୋଇପାରେ, ମାତ୍ର ବିଜୟ ସବୁବେଳେ ସତ୍ୟର ହିଁ ହେବ । ଏଭଳି ସଙ୍କଟ ସମୟରେ ସମସ୍ତେ ସୋନୁଙ୍କ ସହ ଅଛନ୍ତି । ଯେଉଁ ଲକ୍ଷାଧିକ ଲୋକଙ୍କୁ ସୋନୁ କୋଭିଡ୍ ମହାମାରୀବେଳେ ସହାୟତା କରିଥିଲେ, ସେଇ ଲକ୍ଷାଧିକ ପରିବାର ଲୋକଙ୍କ ପ୍ରାର୍ଥନା ସୋନୁଙ୍କ ସହ ଅଛି । ଅପରପକ୍ଷରେ ସୋନୁଙ୍କ ଏଭଳି ଟାର୍ଗେଟ କରାଯିବା ନେଇ ଆମ୍ ଆଦମି ପାର୍ଟି ପ୍ରଶ୍ନ ଉଠାଇଛି । ଏ ନେଇ କେନ୍ଦ୍ରର ବିଜେପି ସରକାର ଭୂମିକା ଉପରେ ଆପ୍ ଆଙ୍ଗୁଠି ଉଠାଇଛି । 

  ସୂଚନାଯୋଗ୍ୟ, ଆୟକର ବିଭାଗ ଆଜି ସୋନୁଙ୍କ ୬ଟି ଠିକଣାରେ ପହଞ୍ଚି ଚଢ଼ାଉ କରିଛି । ଲକ୍ଷ୍ନୌସ୍ଥିତ ଏକ ରିଅଲ ଇଷ୍ଟେଟ କମ୍ପାନି ସହ ବ୍ୟବସାୟିକ ଚୁକ୍ତିନାମାକୁ ନେଇ ସୋନୁ ଆଇଟି ବିଭାଗ ସ୍କାନରରେ ଥିବା କୁହାଯାଉଛି । ସୋନୁ ଅଭିନେତା ଥିବାବେଳେ ତାଙ୍କ ପତ୍ନୀ ମଧ୍ୟ ଫିଲ୍ମ ପ୍ରଡୁ୍ୟସର ଅଛନ୍ତି ।

   ଫିଲ୍ମ ଅଭିନେତା ଭାବେ ସୋନୁ ବଲିଉଡ ଓ ଦକ୍ଷିଣ ଭାରତୀୟ ଫିଲ୍ମରେ ବେଶ୍ ସକ୍ରିୟ ଥିବାବେଳେ ଗତବର୍ଷ କରୋନା ଲକଡାଉନବେଳେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟ ତଥା ଗାଁକୁ ପଠାଇବାରେ ସୋନୁ ସହଯୋଗ କରିଥିଲେ ।  ଶ୍ରମିକଙ୍କୁ ଘରକୁ ପଠାଇବାର ସବୁ ଖର୍ଚ୍ଚ ମଧ୍ୟ ବହନ କରିଥିଲେ । ଯିଏ ଯେତେବେଳେ ସହାୟତା ମାଗିଥିଲା, ସୋନୁ ସହାୟତା କରିଥିଲେ । ଅସହାୟ ଶ୍ରମିକଙ୍କ ପାଇଁ ସେ ଯେମିତି ଭଗବାନ ପାଲଟିଯାଇଥିଲେ । ଏହାପରଠୁ ଦେଶର ବିଭିନ୍ନ କୋଣଅନୁକୋଣରୁ ସୋନୁଙ୍କୁ ଲୋକେ ସାହାଯ୍ୟ ମାଗିଥିଲେ । ସୋନୁ ବି ଯଥାସମ୍ଭବ ସହାୟତା ଦେଇଥିଲେ । ଏ ବର୍ଷ କରୋନା ସଙ୍କଟବେଳେ ଲୋକଙ୍କୁ ଅକ୍ସିଜେନ ଯୋଗାଇବାରେ ବି ସେ ବଡ଼ ଭୂମିକା ନେଇଥିଲେ । ଏଭଳି ଜଣେ ଅଭିନେତା ଆୟକର ବିଭାଗ ସ୍କାନରକୁ ଆସିବା ଖବର ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି । ନିକଟରେ ସୋନୁ ସୁଡଙ୍କୁ ଦିଲ୍ଲୀର ଆପ୍ ସରକାର ଏକ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ପାଇଁ ବ୍ରାଣ୍ଡ୍ ଆମ୍ବାସାଡାର ଘୋଷଣା କରିଛି । ଏ ସଂକ୍ରାନ୍ତରେ ସୋନୁ ଓ କ୍ରେଜିୱାଲଙ୍କ ସାକ୍ଷାତ ନିକଟରେ ହୋଇଥିଲା । ଏହାକୁ ସାକ୍ଷାତ ପରେ ସୋନୁ ଆଗାମୀ ପଞ୍ଜାବ ନିର୍ବାଚନରେ ଆପ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏଭଳି ସମୟରେ ସୋନୁଙ୍କ ଉପରେ ଆୟକର ଚଢ଼ାଉ ରାଜନୈତିକ ଚର୍ଚ୍ଚାକୁ ଅଧିକ ଖୋରାକ ଦେଇଛି ।