ପ୍ରିୟଙ୍କା ଗାନ୍ଧି ଲଢ଼ିବେ ବିଧାନସଭା ନିର୍ବାଚନ!
ପ୍ରିୟଙ୍କା ଗାନ୍ଧି ଲଢ଼ିବେ ବିଧାନସଭା ନିର୍ବାଚନ!
ଲକ୍ଷ୍ନୌ: ଗାନ୍ଧି ପରିବାରର ପ୍ରଥମ ସଦସ୍ୟ ଭାବେ ପ୍ରିୟଙ୍କା ଗାନ୍ଧି ଲଢ଼ିବେ ବିଧାନସଭା ନିର୍ବାଚନ । ଏମିତି ଚର୍ଚ୍ଚା ଏବେ ଶୁଣିବାକୁ ମିଳୁଛି ଉତ୍ତରପ୍ରଦେଶ କଂଗ୍ରେସ ମହଲରେ । ଆଗାମୀ ୟୁପି ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ମଙ୍ଗ ଧରିଥିବା ଦଳର ମହାସଚିବ ତଥା ରାଜ୍ୟ ପ୍ରଭାରୀ ପ୍ରିୟଙ୍କା ନିଜେ ନିର୍ବାଚନ ମଇଦାନକୁ ଓହ୍ଲାଇବା ନେଇ ପ୍ରସ୍ତୁତ ହେଉଥିବା ଶୁଣାଯାଉଛି । ଏ ନେଇ ଜାତୀୟ ଗଣମାଧ୍ୟମରେ ବି ଖବର ପ୍ରକାଶ ପାଇଛି ।
ଏହି ରିପୋର୍ଟ ମୁତାବକ, ପ୍ରିୟଙ୍କା ହିଁ ହେବେ ୟୁପି ନିର୍ବାଚନରେ କଂଗ୍ରେସର ମୁଖ୍ୟ ଆକର୍ଷଣ । ପ୍ରିୟଙ୍କାଙ୍କ ନେତୃତ୍ୱରେ କଂଗ୍ରେସ ୟୁପି ନିର୍ବାଚନ ମଇଦାନକୁ ଓହ୍ଲାଇବ । ଦେଶର ଚର୍ଚ୍ଚିତ ତଥା ସଫଳ ରାଜନୈତିକ ବିଶାରଦ ପ୍ରଶାନ୍ତ କିଶୋର କଂଗ୍ରେସକୁ ପରାମର୍ଶ ଦେଇଛନ୍ତି, ପ୍ରିୟଙ୍କାଙ୍କୁ ଦଳ ନିର୍ବାଚନ ମଇଦାନରେ ଓହ୍ଲାଉ । ଯଦି ଏମିତି ହୁଏ, ତେବେ ପ୍ରିୟଙ୍କା ଆମେଥି କିମ୍ବା ରାୟବରେଲିରୁ ବିଧାନସଭା ଆସନରୁ ବିଧାୟକ ପ୍ରାର୍ଥୀ ହେବେ । ପ୍ରିୟଙ୍କାଙ୍କ ପ୍ରଥମ ପସନ୍ଦ ଆମେଥି ବୋଲି କୁହାଯାଉଛି । ୨୦୧୯ ନିର୍ବାଚନରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରିୟଙ୍କାଙ୍କ ଭାଇ ରାହୁଲ ଗାନ୍ଧି ଆମେଥି ଲୋକସଭା ଆସନରୁ ପରାଜିତ ହୋଇଥିଲେ । ତେଣୁ ଆମେଥି ବିଧାନସଭା ଆସନରୁ ଜିତି ପ୍ରିୟଙ୍କା ବିଜେପିଠାରୁ ନିଜ ଭାଇର ପରାଜୟର ପ୍ରତିଶୋଧ ନେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଅପରପକ୍ଷରେ ପ୍ରିୟଙ୍କାଙ୍କ ବିଜୟ ପୁଣି ଥରେ ଆମେଥିରେ ଗାନ୍ଧି ପରିବାରର ଗଡ଼ ଛିଡ଼ା କରିବାରେ ସହାୟକ ହେବ ବୋଲି ରାଜନୈତିକ ବିଶାରଦ ଆକଳନ କରୁଛନ୍ତି । ସେହିପରି ଗତ ୨୦୧୯ ନିର୍ବାଚନ ଜିତିବା ପରେ ବି ଅସୁସ୍ଥତା ଯୋଗୁ ସୋନିଆ ଗାନ୍ଧି ଆଉ ପୂର୍ବଭଳି ରାୟବରେଲି ଗସ୍ତ କରି ଲୋକଙ୍କ ସହ ସମ୍ପର୍କ ରକ୍ଷା କରିପାରୁନାହାନ୍ତି । ତେଣୁ ସୋନିଆଙ୍କ ପରେ ପ୍ରିୟଙ୍କା ରାୟବରେଲି ଗଡ଼ ସମ୍ଭାଳିବା ପାଇଁ ସେଠାରୁ ବିଧାନସଭା ପ୍ରାର୍ଥୀ ହେବା ସମ୍ଭାବନା ମଧ୍ୟ ରହିଛି ।
ପୂର୍ବରୁ ପ୍ରିୟଙ୍କା କେବେ କୌଣସି ନିର୍ବାଚନ ଲଢ଼ିନାହାନ୍ତି । ଗାନ୍ଧି ପରିବାରର କୌଣସି ସଦସ୍ୟ କେବେ ବି ବିଧାନସଭା ନିର୍ବାଚନ ଲଢ଼ିନାହାନ୍ତି । ଇନ୍ଦିରାଙ୍କଠାରୁ ରାହୁଲଙ୍କ ପର୍ଯ୍ୟନ୍ତ ସବୁ ଲୋକସଭା ନିର୍ବାଚନ ହିଁ ଲଢ଼ିଛନ୍ତି । ଯଦି ପ୍ରିୟଙ୍କା ବିଧାନସଭା ନିର୍ବାଚନ ଲଢ଼ିବେ, ତେବେ ଗାନ୍ଧି ପରିବାରର ରାଜନୈତିକ ଇତିହାସରେ ଏକ ନୂଆ ପୃଷ୍ଠା ଯୋଡ଼ିହେବ । ପ୍ରିୟଙ୍କାକୁ କଂଗ୍ରେସ ପ୍ରାର୍ଥୀ କରିବା ପାଇଁ ପ୍ରଶାନ୍ତ କିଶୋର ଦଳକୁ ପରାମର୍ଶ ଦେଇଥିବା କୁହାଯାଉଛି । ୨୦୧୭ ୟୁପି ନିର୍ବାଚନବେଳେ ମଧ୍ୟ ପ୍ରଶାନ୍ତ ପ୍ରଥମେ ଏଭଳି ପରାମର୍ଶ ଦେଇଥିଲେ । ମାତ୍ର ସେତେବେଳେ ତାଙ୍କ ପ୍ରସ୍ତାବକୁ କଂଗ୍ରେସ ଗ୍ରହଣ କରିନଥିଲା । ଏବେ କଂଗ୍ରେସ ଏ ପ୍ରସ୍ତାବ ଉପରେ ଗୁରୁତର ସହ ବିଚାର କରୁଛି । ନିକଟରେ ଉତ୍ତରପ୍ରଦେଶ ଗସ୍ତରୁ ଫେରିବା ପରେ ପ୍ରିୟଙ୍କା ଦିଲ୍ଲୀରେ ଏକ ବୈଠକ କରିଥିଲେ । ବୈଠକ ପରେ କଂଗ୍ରେସ ନେତାମାନେ କହିଥିଲେ, ୟୁପିରେ ପ୍ରିୟଙ୍କାଙ୍କ ନେତୃତ୍ୱରେ କଂଗ୍ରେସ ବିଧାନସଭା ନିର୍ବାଚନ ଲଢ଼ିବ । ସେବେଠାରୁ ପ୍ରିୟଙ୍କାଙ୍କ ଆଗାମୀ ଅବତାର ନେଇ ବିଭିନ୍ନ ଚର୍ଚ୍ଚା ହେଉଛି । ଉତ୍ତରପ୍ରଦେଶରେ କଂଗ୍ରେସ ଅବସ୍ଥା ଅତି ଦୁର୍ବଳ ଥିବାବେଳେ ପ୍ରିୟଙ୍କା ଦଳକୁ କିଭଳି ନୂଆ ଜୀବନ ଦେବେ, ତାହା ସମୟ କହିବ । ଏହା ପ୍ରିୟଙ୍କାଙ୍କ ପାଇଁ ବଡ଼ ଚାଲେଞ୍ଜ ମଧ୍ୟ ହେବ ।
ସୂଚନାଯୋଗ୍ୟ, ୧୯୫୨ରୁ ୨୦୧୯ ପର୍ଯ୍ୟନ୍ତ ଯେତେ ଲୋକସଭା ନିର୍ବାଚନ ହୋଇଛି, ସେଥିରୁ କେବଳ ୩ଥର କଂଗ୍ରେସ ରାୟବରେଲିରୁ ହାରିଛି । ୧୯୭୮, ୧୯୮୮ ଓ ୧୯୯୬ରେ କଂଗ୍ରେସ ଏହି ଲୋକସଭା ଆସନରୁ ହାରିଥିଲା । ଏହି ଆସନରୁ ଇନ୍ଦିରା ଗାନ୍ଧି, ଫିରୋଜ ଗାନ୍ଧି ମଧ୍ୟ ନିର୍ବାଚିତ ହୋଇଛନ୍ତି । ଏବେ ଏହା ସୋନିଆଙ୍କ ଗଡ଼ ହୋଇ ରହିଛି । ସେହିପରି ଆମେଥି ଲୋକସଭା ଆସନରେ ଏଯାବତ୍ ହୋଇଥିବା ୧୭ଟି ନିର୍ବାଚନ ଓ ୨ଟି ଉପନିର୍ବାଚନ ମଧ୍ୟରୁ କଂଗ୍ରେସ ୧୬ ଥର ଜିତିଛି । କେବଳ ୩ଥର କଂଗ୍ରେସକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ୧୯୭୭, ୧୯୯୮ ଓ ୨୦୧୯ରେ କଂଗ୍ରେସ ଆମେଥି ଆସନ ହରାଇଛି । ଆମେଥି ଲୋକସଭା ଆସନରୁ ସଂଜୟ ଗାନ୍ଧି,ା ରାଜୀବ ଗାନ୍ଧି, ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଜିତିଛନ୍ତି । ଗତ ୨୦୧୯ରେ ରାହୁଲଙ୍କୁ ଏ ଆସନରୁ ପରାଜିତ ହେବାକୁ ପଡ଼ିଥିଲା ।
ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବା ନେଇ ଏଯାଏ ପ୍ରିୟଙ୍କା ମୁହଁ ଖୋଲି କିଛି କହିନାହାନ୍ତି । ତେବେ ପ୍ରି୍ରୟଙ୍କାଙ୍କ ୟୁପି ଦପ୍ତର ଏ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଥିବା କଂଗ୍ରେସ ସୂତ୍ରରୁ ଖବର ମିଳିଛି ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ।




admin 