୨୬ ବର୍ଷ ଧରି ଧାରଣାରେ ବସିଛନ୍ତି, ଏବେ ଯୋଗୀଙ୍କ ବିରୋଧରେ ଲଢ଼ିବେ ନିର୍ବାଚନ
୨୬ ବର୍ଷ ଧରି ଧାରଣାରେ ବସିଛନ୍ତି, ଏବେ ଯୋଗୀଙ୍କ ବିରୋଧରେ ଲଢ଼ିବେ ନିର୍ବାଚନ
ନୂଆଦିଲ୍ଲୀ: ଗୋରଖପୁର ସହର ଆସନରୁ ଯୋଗୀ ଆଦିତ୍ୟନାଥଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ ୨୬ ବର୍ଷ ହେବ ଧାରଣାରେ ବସିଥିବା ଉତ୍ତର ପ୍ରଦେଶର ଜଣେ ପୂର୍ବତନ ସ୍କୁଲ୍ ଶିକ୍ଷକ।
ଦୁର୍ନୀତି ବିରୋଧୀ ସାମାଜିକକର୍ମୀ ବିଜୟ ସିଂହ ନାମକ ଏହି ପୂର୍ବତନ ଶିକ୍ଷକ ଜମି ମାଫିଆଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରି ଗତ ୨୬ ବର୍ଷ ହେବ ମୁଜାଫର୍ ନଗରରେ ଧାରଣା ଦେଉଛନ୍ତି। ସେ ଦାବି କରିଛନ୍ତି ଯେ ପଶ୍ଚିମ ଉତ୍ତର ପ୍ରଦେଶରେ ଉକ୍ତ ଜମି ମାଫିଆମାନେ ହଜାର ହଜାର ଏକର ଜମି ମାଡ଼ି ବସିଛନ୍ତି।
ସେ କହିଛନ୍ତି, ହଁ, ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବି ବୋଲି ମୁଁ ଘୋଷଣା କରିଛି। ଫେବ୍ରୁଆରି ୯ ତାରିଖ ଦିନ ଗୋରଖପୁର ନଗରାଞ୍ଚଳ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବି।
ଦୁର୍ନୀତି ବିରୋଧରେ ଲଢ଼ିବା ଏବଂ ଜମି ମାଫିଆମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଗତ ୨୬ ବର୍ଷ ହେବ ଉତ୍ତର ପ୍ରଦେଶକୁ ଶାସନ କରିଥିବା କୌଣସି ଦଳ ଗୁରୁତ୍ବ ଦେଇ ନ ଥିବା ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଲାଗି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି କହିଛନ୍ତି। ଏହା ସହିତ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ବିରୋଧରେ ପ୍ରଚାର କରିବେ ବୋଲି ଘୋଷଣା କରିଛନ୍ତି।
ବିଏଡ୍ ହାସଲ କରିବା ପୂର୍ବରୁ ଅର୍ଥନୀତି, ରାଜନୀତି ବିଜ୍ଞାନ ଏବଂ ଭୂଗୋଳ ପଢ଼ିଥିବା ବିଜୟ ସିଂହ ମିରଟ୍ର ଚୌଧୁରୀ ଚରଣ ସିଂହ ବିଶ୍ବ ବିଦ୍ୟାଳୟରୁ ସ୍ନାତକ କରିଥିଲେ। ୧୯୯୦ ଦଶକର ମଧ୍ୟ ଭାଗରେ ଦିନେ ଘରୁ ସ୍କୁଲ୍ ଯାଉଥିବା ବେଳେ ତାଙ୍କ ଜୀବନ ବଦଳି ଯାଇଥିଲା ବୋଲି ସେ କହିଛନ୍ତି।
୧୯୯୬ ଫେବ୍ରୁଆରିରେ ବିଜୟ ସିଂହ ମୁଜାଫର୍ନଗର କଲେକ୍ଟରିଏଟ୍ ପାଖରେ ଧାରଣା ଦେଉଛନ୍ତି। ସମ୍ପ୍ରତି ୬୦ ବର୍ଷ ବୟସରେ ଉପନୀତ ବିଜୟ ସିଂହଙ୍କର ଦୁଇଜଣ ଝିଅ ବିଭା ହୋଇଯାଇଛନ୍ତି। ଏକମାତ୍ର ପୁଅ ପଶ୍ଚିମ ଉତ୍ତର ପ୍ରଦେଶରେ ଥିବା ଗୋଟାଏ ଚିନି କଳରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ୟ୍ୟ କରୁଛନ୍ତି। ଅନେକ ବର୍ଷ ହେବ ତାଙ୍କ ପରିବାରବର୍ଗ ମଧ୍ୟ ତାଙ୍କର ଏହି ଧାରଣାକୁ ବିରୋଧ କରି ଆସୁଛନ୍ତି।




admin 