ସିଡ଼ନିରେ ମୋଦି ମାନିଆ

ସିଡ଼ନିରେ ମୋଦି ମାନିଆ

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ କ୍ରିକେଟ୍‌ ବିଶ୍ବକପ୍‌ ଏବଂ ଦୀପାବଳି ଉତ୍ସବ ଦେଖିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍‌ବାନିଜ୍‌ ଏବଂ କ୍ରିକେଟ୍‌ପ୍ରେମୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ଭାରତରେ କ୍ରିକେଟ୍‌ ବି‌ଶ୍ବକପ୍‌ ଆୟୋଜନ କରାଯିବା ଲାଗି ସମୟ ଧାର୍ଯ୍ୟ କରାଯାଇଛି। ମିଳିତ ପ୍ରେସ୍‌ ବିବୃତି ଦେବା ବ‌େଳେ ୩ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ‌ମୋଦୀ କ୍ରିକେଟ୍‌ ପ୍ରସଙ୍ଗ ଅବତାରଣା କରି କହିଛନ୍ତି ଯେ, ଭାରତ ଓ ଅଷ୍ଟ୍ରେଲିଆ ‘ଟି୨୦ ମୋଡ୍‌’କୁ ଆସିଯାଇଛନ୍ତି। ଚଳିତ ବର୍ଷ କ୍ରିକେଟ୍‌ ବିଶ୍ବକପ୍‌ ଦେଖିବା ଲାଗି ମୁଁ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବାନିଜ୍‌ ଏବଂ ସମସ୍ତ ଅଷ୍ଟ୍ରେଲୀୟ କ୍ରିକେଟ୍‌ପ୍ରେମୀଙ୍କୁ ନିମନ୍ତ୍ରଣ କରୁଛି।

ସେ ସମୟରେ ଆପଣମାନେ ଭାରତରେ ମହାସମାରୋହରେ ପାଳନ କରାଯାଉଥିବା ଦୀପାବଳି ଉତ୍ସବ ବି ଦେଖିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗୁରୁତ୍ବାରୋପ କରି ସେ କହିଛନ୍ତି, ଗତ ଏକ ବର୍ଷ ମଧ୍ୟରେ ଏହା ହେଉଛି ଆମର ଷଷ୍ଠ ସାକ୍ଷାତ। ଏହା ଆମର ସାମଗ୍ରିକ ସମ୍ପର୍କ ଓ ଆମ ପାରସ୍ପରିକ ସମ୍ପର୍କର ପରିପକ୍ବତାର ନିବିଡ଼ତାକୁ ପ୍ରତିଫଳନ କରୁଛି। କ୍ରିକେଟ୍‌ ଭାଷାରେ କହିଲେ, ଆମ ସମ୍ପର୍କ ‘ଟି୨୦ ମୋଡ୍‌’କୁ ଚାଲି ଆସିଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଏହି ଦ୍ବିପାକ୍ଷିକ ବୈଠକରେ ମୁଁ ଓ ପ୍ରଧାନମନ୍ତ୍ରୀ ଆଲ୍‌ବାନିଜ୍‌ ଅଷ୍ଟ୍ରେଲିଆରେ ବିଚ୍ଛିନ୍ନତାବାଦୀ ତତ୍ତ୍ବମାନଙ୍କ ମନ୍ଦିର ଆକ୍ରମଣ ବିଷୟରେ ଆଲୋଚନା କରିଛୁ। ସେ କହିଲେ ଯେ, ଭାରତ ଓ ଅଷ୍ଟ୍ରେଲିଆର ସମ୍ପର୍କକୁ ବିପଦଗ୍ରସ୍ତ କରିବାର ଆଶଙ୍କା ଥିବାରୁ ଏଭଳି ତତ୍ତ୍ବମାନଙ୍କୁ ବରଦାସ୍ତ କରାଯିବ ନାହିଁ। ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ ଆଲ୍‌ବାନିଜ୍‌ ମତେ ପ୍ରତିଶ୍ରୁତି ଦେଇଛନ୍ତି।