ଅଶାନ୍ତ ସମ୍ବଲପୁର ସହର, କର୍ଫ୍ୟୁ ଜାରି

ଅଶାନ୍ତ ସମ୍ବଲପୁର ସହର, କର୍ଫ୍ୟୁ ଜାରି

ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମ୍ବଲପୁର ସହର ଅଶାନ୍ତ ହୋଇ ପଡ଼ିଛି । ସବୁ ପ୍ରକାର ସୁରକ୍ଷା ପ୍ରସ୍ତୁତି ସତ୍ତେ୍ୱ ରକ୍ତପାତ ହୋଇଛି । ଶୋଭାଯାତ୍ରା ବାହାରେ ସହରର ରିଂରୋଡ ନିକଟରେ ଜଣଙ୍କୁ ହତ୍ୟା କରାଯାଇଛି । ବ୍ୟାପକ ପୋଡ଼ାଜଳା ଏବଂ ଭଙ୍ଗାରୁଜା ହୋଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଶୁକ୍ରବାର ମଧ୍ୟରାତ୍ରୀ ପରଠାରୁ ସହରରେ କର୍ଫ୍ୟୁ ଜାରି କରିଥିବା ଜଣାପଡ଼ିଛି । ଗଣ୍ଡଗୋଳକାରୀଙ୍କୁ ରାସ୍ତାରେ ଦେଖିଲେ ପୁଲିସ ଗୁଳି ଚଳାଇବ ।

ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର ଏହି ସୂଚନା ଦେଇଛନ୍ତି । ପ୍ରତିଟି ଗଳିକନ୍ଦି ଉପରେ ପୁଲିସ କଡ଼ା ନଜର ରଖିଛି । କୌଣସି ସ୍ଥାନରେ ସାମାନ୍ୟ ଉତ୍ତେଜନାର ଖବର ପାଇଲେ କଠୋର କାର୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ରହିଛି । ଶୁକ୍ରବାର ଶୋଭାଯାତ୍ରା ଚାଲିଥିବା ବେଳେ ରିଂରୋଡରେ ଏକ ହତ୍ୟାକାଣ୍ଡ ଘଟିଛି । ଚାଉଁରପୁର ଅଞ୍ଚଳର ୩ ଜଣ ଯୁବକ ଏକ ବାଇକ୍‌ରେ ଶୋଭାଯାତ୍ରା ଦେଖି ଫେରୁଥିଲେ । ଏକ ଗୋଷ୍ଠୀର ଜଣେ ଯୁବକ ସେମାନଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିରେ ପଲଟୁ ମିର୍ଦ୍ଧା ଓରଫ ଚନ୍ଦ୍ର(୩୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରତ୍ୟୁଷ ଦାସ ଏବଂ ବିଶ୍ୱନାଥ ସିକ୍କା ଗୁରୁତର ଆହତ ହୋଇଛନ୍ତି । ତେବେ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇନାହିଁ ।