ସମ୍ବଲପୁରରେ ଜାରି ହେଲା ଏମର୍ଜେନ୍ସି ହେଲ୍ପଲାଇନ ନମ୍ବର
ସମ୍ବଲପୁର: ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ସମ୍ବଲପୁରରେ ଦୁଇଗୋଷ୍ଠୀ ଭିତରେ ଆରମ୍ଭ ହୋଇଥିବା ଗଣ୍ଡଗୋଳ ଉଗ୍ର ରୂପ ଧାରଣ କରିଛି। ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଗତକାଲି ରାତି ୧୨ଟାରୁ ସମ୍ବଲପୁରରେ ସହରର ୬ଟି ଥାନା ଅଞ୍ଚଳରେ ଲାଗୁ ହୋଇଛି କର୍ଫ୍ୟୁ। ସମ୍ବଲପୁର ଟାଉନ୍, ଧନୁପାଲି, କ୍ଷେତରାଜପୁର , ଅଇଁଠାପାଲି, ବରେଇପାଲି ଓ ସଦର ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି।
ଏ ନେଇ ସମ୍ବଲପୁର ଉପଜିଲ୍ଲାପାଳ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପରବର୍ତ୍ତୀ ଆଦେଶ ପର୍ୟ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ । କର୍ଫ୍ୟୁ ସମୟରେ କୌଣସି ବ୍ୟକ୍ତିବିଶେଷଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି । ସକାଳ ୮ଟାରୁ ୧୦ଟା, ଅପରାହ୍ନ ୩ଟା୩୦ରୁ ୫ଟା୩୦ ମଧ୍ୟରେ ସହରବାସୀ ସାମଗ୍ରୀ କିଣିପାରିବେ । କୌଣସି ମେଡିକାଲ ଏମର୍ଜେନ୍ସି ପାଇଁ ହେଲ୍ପଲାଇନ୍ ନମ୍ବର ୭୬୫୫୮୦୦୭୬୦ ଜାରି କରାଯାଇଛି । ଗତକାଲି ରାତିରେ କଡ଼ା ସୁରକ୍ଷା ବଳୟରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହି ସମୟରେ ବହୁ ସଂଖ୍ୟାରେ ପୁଲିସ୍ ମୁତୟନ ଥିବା ସତ୍ତ୍ୱେ ଦୋକାନ ପୋଡ଼ାଜଳା କରାଯିବା ସହ ହିଂସାତ୍ମକ ଘଟଣା ଘଟିଥିଲା।
ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିବାରୁ ଗତକାଲି ରାତି ୧୨ଟାରୁ ସହରରର ୬ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି।ବହୁ ସଂଖ୍ୟାରେ ସାଧାରଣ ଲୋକେ କର୍ଫ୍ୟୁ ସମ୍ପର୍କରେ ଜାଣି ନ ଥିବା ବେଳେ ଆଜି ସକାଳୁ ଅନ୍ୟ ଦିନ ପରି ଚଳପ୍ରଚଳ କରୁଛନ୍ତି। ମାତ୍ର ପୁଲିସ୍ ପ୍ରଚାର ଗାଡ଼ି ଲୋକଙ୍କୁ ସଚେତନ କରିବା ସହ ଘରକୁ ଫେରିଯିବାକୁ ପରାମର୍ଶ ଦେଉଛି। ନଚେତ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ବି ଚେତାବନୀ ଦେଉଛି।




admin 