ଅନିଚ୍ଛା ସତ୍ତ୍ୱେ ଗର୍ଭବତୀ ହୋଇଥିବା ନାବାଳିକାଙ୍କ ଗର୍ଭପାତ ପାଇଁ ଅନୁମତି
ଅନିଚ୍ଛା ସତ୍ତ୍ୱେ ଗର୍ଭବତୀ ହୋଇଥିବା ନାବାଳିକାଙ୍କ ଗର୍ଭପାତ ପାଇଁ ଅନୁମତି
admin
Dec 17, 2020 - 09:16
Updated: Dec 17, 2020 - 09:16
କଟକ: ଅନିଚ୍ଛା ସତ୍ତ୍ୱେ ଗର୍ଭବତୀ ହୋଇ ନାବାଳିକାଙ୍କ ଗର୍ଭପାତ (ମେଡିକାଲ ଟର୍ମିନେସନ ଅଫ ପ୍ରେଗେନାନ୍ସି) ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି । ପୀଡ଼ିତାଙ୍କ ଗର୍ଭସ୍ଥ ଭ୍ରୁଣ ୨୦ ସପ୍ତାହରୁ ଅଧିକ ହୋଇଥିଲେ ମଧ୍ୟ ହାଇକୋର୍ଟ ଏଥିପାଇଁଅନୁମତି ଦେଇଛନ୍ତି । ହାଇକୋର୍ଟଙ୍କ ଏ ସମ୍ପର୍କିତ ରାୟରେ ଉଲ୍ଲେଖ କରାଯାଇଛି ଯେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ଶିକ୍ଷା ଓ ତାଲିମ ନିଦେ୍ର୍ଧଶକ (ଡିଏମଇଟି) ଙ୍କ ଅଧ୍ୟକ୍ଷତାରେ ଗଠିତ ମେଡିକାଲ ବୋର୍ଡ ଗର୍ଭପାତ ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ । ଯଦି ପୀଡ଼ିତାଙ୍କ ଜୀବନ ପ୍ରତି ବିପଦ ନଥିବ, ତେବେ ତାଙ୍କ ଗର୍ଭପାତ କରାଯିବ । ଏନସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ଡାକ୍ତର ତୁଷାର କରଙ୍କ ତତ୍ତ୍ୱାବଧାନରେ ପୀଡ଼ିତାଙ୍କ ଗର୍ଭପାତ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଯଦି ପୀଡ଼ିତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଜଣାପଡେ଼ ତେବେ ଏହି ପ୍ରକି୍ରୟା ବାତିଲ କରିବା ପାଇଁ ବୋର୍ଡର କ୍ଷମତା ରହିବ । ଏହି ପ୍ରକି୍ରୟା ପୂର୍ବରୁ ପୀଡ଼ିତା ଗର୍ଭଧାରଣ ପାଇଁ ଆଗ୍ରହୀ ନୁହେଁ ଓ ଗର୍ଭପାତ ପାଇଁ ତାଙ୍କର ଅନୁମତି ରହିଛି ବୋଲି ମେଡିକାଲ ବୋର୍ଡ ଏକ ଘୋଷଣାପତ୍ର ପୀଡ଼ିତାଙ୍କ ନିକଟରୁ ରଖିବେ । ପୀଡ଼ିତାଙ୍କ ଅଭିଭାବକଙ୍କ ନିକଟରୁ ମଧ୍ୟ ଏଭଳି ଘୋଷଣାନାମା ରଖାଯିବ । ପୀଡ଼ିତା ଓ ତାଙ୍କ ପରିବାର ସଦସ୍ୟଙ୍କୁ ଏସସିବି ମେଡିକାଲରେ ପହଞ୍ଚାଇବା ପାଇଁ ଭୁବନେଶ୍ୱର ଡିସିପି ଓ ସ୍ଥାନୀୟ ଥାନା ଅଧିକାରୀ ସମସ୍ତ ବ୍ୟବସ୍ଥା କରିବେ । ପୀଡ଼ିତାଙ୍କ ଗର୍ଭରେ ଥିବା ଭ୍ରୁଣର ଡିଏନଏ ନମୁନା ସଂରକ୍ଷିତ କରି ରଖାଯିବ । ଏହା ପୀଡ଼ିତାଙ୍କ ସହିତ ଘଟିଥିବା ଅପରାଧର ତଦନ୍ତ ଓ ଏ ସମ୍ପର୍କିତ ମାମଲାର ଶୁଣାଣି ସମୟରେ ଆବଶ୍ୟକ ହୋଇପାରେ ବୋଲି ହାଇକୋର୍ଟ କହିଛନ୍ତି । କେତେକ କାରଣ ଯୋଗୁଁ ପୀଡ଼ିତାଙ୍କ ଗର୍ଭପାତ ପାଇଁ ଅନୁମତି ପ୍ରଦାନ କରାଯାଇଛି ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି । ନାବାଳିକା ପୀଡ଼ିତାଙ୍କ ସହିତ ହୋଇଥିବା ଦୁଷ୍କର୍ମ ଯୋଗୁଁ ଗର୍ଭବତୀ ହୋଇଥିଲେ ଓ ଏ ନେଇ ସିଆରପିସିର ଧାରା ୧୬୪ ରେ ଦେଇଥିବା ବୟାନରେ ସେ କହିଥିଲେ । ଡିସେମ୍ବର ୧୧ରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ପରୀକ୍ଷାରେ ପୀଡ଼ିତାଙ୍କ ଗର୍ଭରେ ଥିବା ଭ୍ରୁଣ ୨୧ ସପ୍ତାହରୁ ଅଧିକ ବୋଲି ଜଣାପଡ଼ିବାରୁ ମେଡିକାଲ ବୋର୍ଡ ଗର୍ଭପାତ ସପକ୍ଷରେ ମତ ଦେଇନଥିଲେ । ଏହି ସବୁ ପ୍ରସଙ୍ଗକୁ ବିଚାରକୁ ନେଇ ହାଇକୋର୍ଟ ପୀଡ଼ିତାଙ୍କ ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି । ଜଷ୍ଟିସ ଏସ.କେ ମିଶ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି ।