ଓଟିଭି ଏମଡିଙ୍କ ବାପା, ଭାଇଙ୍କ ନାମରେ ମାମଲା

ଓଟିଭି ଏମଡିଙ୍କ ବାପା, ଭାଇଙ୍କ ନାମରେ ମାମଲା

ଓଟିଭି ଏମଡିଙ୍କ ବାପା, ଭାଇଙ୍କ ନାମରେ ମାମଲା
ଖୋର୍ଦ୍ଧା: ସାରୁଆ ଓ ଲୋକନାଥପୁର ଗାଁରେ ଅନୁସୂଚିତ ଜାତିର କେତେକ ଲୋକ ଓଟିଭିର ଏମଡି ଜାଗିମଙ୍ଗତ ପଣ୍ଡାଙ୍କ ବାପା, ଭାଇ ଓ କିଛି କର୍ମଚାରୀଙ୍କ ବିରୋଧରେ ବାଘମାରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗରେ ସେମାନଙ୍କୁ ଧମକଚମକ ଦିଆଯାଇଥିବା ଓ ଗାଁର ବ୍ୟବହୃତ ପୋଖରୀକୁ ଛଡ଼ାଯାଉନଥିବା ଦର୍ଶାଇଛନ୍ତି । ଅଭିଯୋଗ ଭିତ୍ତିରେ ଥାନା ପକ୍ଷରୁ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି । ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ସାରୁଆ ମୌଜାର ୧୦୨୦ ନମ୍ବର ପ୍ଲଟରେ ଥିବା ପୋଖରୀ, ୧୦୨୧ ନମ୍ବର ପ୍ଲଟର ହୁଡ଼ା, ୧୮୩୫ ନମ୍ବର ପ୍ଲଟର ପୋଖରୀ ଓ ଲୋକନାଥପୁର ମୌଜାର ୧୦୨୮ ନମ୍ବର ପ୍ଲଟର ପୋଖରୀ, ୧୦୩୦ ନମ୍ବର ପ୍ଲଟର ହୁଡା ଓ ୧୦୫୫ ନମ୍ବର ପ୍ଲଟର ହୁଡାକୁ ଓଟିଭି ଏବଂ ତରଙ୍ଗ ଚ୍ୟାନେଲର ମାଲିକ ଜବରଦଖଲ କରି ରଖିଛନ୍ତି । ଏହି ପୋଖରୀରକୁ ସେମାନେ ଅନେକ ବର୍ଷ ଧରି ଗାଧୋଇବା, ଶୁଦ୍ଧିକ୍ରିୟା କରିବା ଓ ଚାଷ ଜମିକୁ ପାଣି ମଡ଼ାଇବା ଆଦି କାର୍ଯ୍ୟରେ ବ୍ୟବହାର କରି ଆସୁଥିଲେ । କିନ୍ତୁ ଗତ କିଛି ମାସ ଧରି ଓଟିଭି ଓ ତରଙ୍ଗ ଟିଭିର ମାଲିକ ଏହାକୁ ଜବର ଦଖଲ କରି ରଖିଛନ୍ତି । ଜାଗି ମଙ୍ଗତ ପଣ୍ଡାଙ୍କ ବାପା, ଭାଇ ଓ ପ୍ରକଳ୍ପ ଅଧିକାରୀ ଅନିରୁଦ୍ଧ ପଣ୍ଡା, ଗୁମାସ୍ତା ବିଭୁ ସାହୁ ପ୍ରମୁଖ ସେଠାରେ ବେଆଇନ ଭାବେ ପାଚେରି ନିର୍ମାଣ କରିଛନ୍ତି । ଏ ନେଇ ବିରୋଧ କରିବାକୁ ସେମାନଙ୍କୁ ଧମକଚମକ ଦେଉଛନ୍ତି । ଏଣୁ ବେଆଇନ ପାଚେରୀକୁ ଭାଙ୍ଗି ସେମାନଙ୍କୁ ପୋଖରୀକୁ ଯିବା ପାଇଁ ବ୍ୟବସ୍ଥା କରିବାକୁ ଗାଁ ଲୋକେ ଅନୁରୋଧ କରିଛନ୍ତି । ଲୋକଙ୍କ ଅଭିଯୋଗ ଭିତ୍ତିରେ ବାଘମାରୀ ଥାନା ପକ୍ଷରୁ ଭାରତୀୟ ପିଙ୍ଗଳ କୋଡର ଦଫା ୫୦୬, ୪୪୭, ୩୪ ଓ ଅନୁସୂଚିିତ ଜାତି ଓ ଜନଜାତି ଆଇନରେ ମାମଲା ରୁଜୁ କରାଯାଇଛି ।