କରୋନା ପାଇଁ କମିବ ୫୦ ହଜାର କୋଟିର ରପ୍ତାନି

କରୋନା ପାଇଁ କମିବ ୫୦ ହଜାର କୋଟିର ରପ୍ତାନି

କରୋନା ପାଇଁ କମିବ ୫୦ ହଜାର କୋଟିର ରପ୍ତାନି
ଭୁବନେଶ୍ୱର:କରୋନା ପାଇଁ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହେଉଥିବା ବେଳେ ରାଜ୍ୟରୁ ରପ୍ତାନି ଗୁରୁତର ବାଧାପ୍ରାପ୍ତ ହୋଇଛି । କରୋନା ପାଇଁ ଲକଡାଉନ ପରିପ୍ରେକ୍ଷୀରେ ଏବେ ଉଭୟ ବିମାନ ଓ ପାଣି ଜାହାଜରେ ରପ୍ତାନୀ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ହସ୍ତଗତ ସୂଚନା ଅନୁସାରେ ଓଡ଼ିଶାରୁ ବାର୍ଷିକ ହାରାହାରି ୫୦ ହଜାର କୋଟି ଟଙ୍କାର ସାମଗ୍ରୀ ଦେଶ ବିଦେଶକୁ ରପ୍ତାନୀ କରାଯାଇଥାଏ । ବିମାନ ଯୋଗେ ଖାଦ୍ୟ ସାମଗ୍ରୀ, ମସଲା, ହସ୍ତତନ୍ତ, ହସ୍ତଶିଳ୍ପ, ମାଛ, ସଫ୍ଟୱେର ଆଦି ଦେଶ ବିଦେଶକୁ ପଠାଯାଏ । ଭୁବନେଶ୍ୱରରୁ ବିମାନ ଯୋଗେ ମୁଖ୍ୟତଃ ମାଲେସିଆ, ଆମେରିକା, ଦୁବାଇ, ଆବୁଧାବି, ଓମାନ ଭଳି ଦେଶକୁ ରପ୍ତାନୀ କରାଯାଏ । ସେହିପରି ଦେଶ ଭିତରେ ଦିଲ୍ଲୀ, ହାଇଦ୍ରାବାଦ, କଲକାତା ମୁମ୍ବାଇ, ଚେନ୍ନାଇ ଭଳି ମହାନଗରକୁ ସାମଗ୍ରୀ ରପ୍ତାନୀ କରାଯାଏ । ଓଡ଼ିଶାରୁ ସାଢ଼େ ତିନି ହଜାର କୋଟି ଟଙ୍କାର କେବଳ ସାମୁଦ୍ରିକ ମାଛ ରପ୍ତାନୀ ହୋଇଥାଏ । ପୂର୍ବରୁ ଭୁବନେଶ୍ୱରରୁ ବିମାନ ଯୋଗେ ପଣ୍ୟ ରପ୍ତାନୀ ହେଉଥିବା ବେଳେ ୨୦୧୮ ଜାନୁଆରୀ ମାସରୁ ବିଧିବଦ୍ଧ ଭାବେ ପଣ୍ୟ ରପ୍ତାନୀ ଆରମ୍ଭ ହୋଇଥିଲା । ଏଥିପାଇଁ ସେଠାରେ କଷ୍ଟମ କ୍ଲିଅରାନ୍ସ ସେଣ୍ଟର ସ୍ଥାପନ କରାଯାଇଥିଲା । ମ୍ୟାଲେସିଆକୁ ବାଦ ଦେଲେ ଅନ୍ୟ କୌଣସି ରାଷ୍ଟ୍ରକୁ ସିଧାସଳଖ ବିମାନ ଚାଲୁନଥିବା ସତ୍ତ୍ୱେ ପଣ୍ୟ ପରିବହନ ହାର ଉତ୍ସାଜନକ ରହିଥିଲା । ଭୁବନେଶ୍ୱରରୁ କୌଣସି କାର୍ଗୋ ବିମାନ ଚାଲୁନଥିଲେ ବି ଭାୟା ହାଇଦ୍ରାବାଦ, କଲକାତା, ନୂଆଦିଲ୍ଲୀ ଦେଇ ଯାତ୍ରୀବାହୀ ବିମାନରେ ସାମଗ୍ରୀ ପରିବହନ କରାଯାଇଥାଏ । ଓଡ଼ିଶାରୁ ବାର୍ଷିକ ୩୦ ହଜାର କୋଟି ଟଙ୍କାର ଫେରକ୍ରୋମ ଓ ଆଲୁମିନିୟମ, ୫ ହଜାର କୋଟି ଟଙ୍କାର ଖଣିଜ ପଦାର୍ଥ, ୫ ହଜାର କୋଟି ଟଙ୍କାର ଯାନ୍ତ୍ରିକ ଉପକରଣ, ୪ ରୁ ୫ ହଜାର କୋଟି ଟଙ୍କାର ସଫ୍ଟୱେର ସହ ଅନ୍ୟାନ୍ୟ ସାମଗ୍ରୀ ରପ୍ତାନୀ କରାଯାଇଥାଏ । ତେବେ ଆଗକୁ ଯଦି କରୋନା କଟକଣା ଅବଧି ବୃଦ୍ଧି ପାଏ ତା ହେଲେ ରପ୍ତାନୀ କାରବାର ସ୍ୱାଭାବିକ ଅବସ୍ଥାକୁ ଫେରିବା ପାଇଁ ବେଶ କିଛି ଦିନ ସମୟ ଲାଗିବ ।