କାଲିଠୁ ବର୍ଷିବ ଲଘୁଚାପ
କାଲିଠୁ ବର୍ଷିବ ଲଘୁଚାପ
ଭୁବନେଶ୍ୱର: ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତାକାଲି ସୁଦ୍ଧା ଉତ୍ତର ଓ ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ଶୁକ୍ରବାରଠାରୁ ରାଜ୍ୟରେ ବର୍ଷା ବଢ଼ିବ । ପ୍ରଥମ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ତା’ପରେ ବର୍ଷା ପ୍ରଭାବ ସାମାନ୍ୟ କମିବ ।
ଅନୁମାନ କରାଯାଉଛି, ଆସନ୍ତାକାଲି (ଶୁକ୍ରବାର) ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜାଗାରେ ବର୍ଷା ହୋଇପାରେ । ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।
ଶନିବାର ରାଜ୍ୟର ପ୍ରାୟ ସବୁ ଅଂଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଶନିବାର ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଗଜପତି, ନୟାଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।
ରବିବାର ମଧ୍ୟ ଜାରି ରହିବ ଲଘୁଚାପ ବର୍ଷା । ଅଧିକାଂଶ ସ୍ଥାନରେ ବର୍ଷା ହେବ । ଉପକୂଳଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ଢାଳିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ସୋନପୁର, ବଲାଙ୍ଗିର ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଅଛି । ନୂଆପଡ଼ା, ବୌଦ୍ଧ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଳାହାଣ୍ଡିରେ ପ୍ରବଳ ବର୍ଷା ହୋଇପାରେ । ସୋମବାର ବର୍ଷା ପରିମାଣ ସାମାନ୍ୟ କମିପାରେ । ତଥାପି ଅନେକ ଜାଗାରେ ବର୍ଷା ଲାଗି ରହିବ ।
ଏ ବର୍ଷ ମୌସୁମୀ ବର୍ଷା ରାଜ୍ୟରେ କମ୍ ରହିଛି । ଏବେ ଯାଇଥିବା ଲଘୁଚାପ ଯୋଗୁ ରାଜ୍ୟରେ ବର୍ଷା ଅଭାବ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ତଥାପି ଜୁନ ପହିଲାରୁ ଏଯାଏଁ ୨୭% ବର୍ଷା ଅଭାବ ରହିଛି ।




admin 