କେନ୍ଦ୍ରମନ୍ତ୍ରୀଙ୍କ ଦାବି: ବନ୍ଦ ହେବନି ରଥଯାତ୍ରା
କେନ୍ଦ୍ରମନ୍ତ୍ରୀଙ୍କ ଦାବି: ବନ୍ଦ ହେବନି ରଥଯାତ୍ରା
admin
Apr 19, 2020 - 16:25
Updated: Apr 19, 2020 - 16:25
କରୋନା ପରିପ୍ରେକ୍ଷୀରେ ଜୁନ ମାସରେ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେବା ନେଇ ଆଶଙ୍କା ଦେଖାଦେଇଛି । ରାଜ୍ୟ ସରକାର ମଧ୍ୟ ଏ ନେଇ କୌଣସି ସ୍ପଷ୍ଟ ଆଭିମୁଖ୍ୟ ରଖି ନାହାନ୍ତି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏକ ଚିଠି ଲେଖିଛନ୍ତି । ସାମାଜିକ ଦୂରତାର ସମସ୍ତ ନିୟମକୁ କଡ଼ାକଡ଼ି ପାଳନ କରିବା ରଥଯାତ୍ରା ଆୟୋଜନ କରିବାକୁ ସେ ଦାବି କରିଛନ୍ତି । ଏ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜାଙ୍କ ସହ ପରାମର୍ଶ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।
ଶ୍ରୀ ଷଡଙ୍ଗୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ପବିତ୍ର ରଥଯାତ୍ରା ସହ ସାଧାରଣ ଲୋକଙ୍କ ଭାବାବେଗ ଜଡ଼ିତ ରହିଛି । ଏହା ରାଜ୍ୟର ସାଂସ୍କୃତିକ ପରିଚୟ । କରୋନା ଭାଇରସ ପାଇଁ ପୁରୀରେ ରଥଯାତ୍ରାରେ ବନ୍ଦ ହେବା ନେଇ ଗଣମାଧ୍ୟମରେ ଆଶଙ୍କା ପ୍ରକାଶ ପାଇଛି । ଏହା ରାଜ୍ୟବାସୀ ତଥା ସମଗ୍ର ବିଶ୍ୱର ଶ୍ରଦ୍ଧାଳୁମାନଙ୍କୁ ଆଘାତ ଦେଇଛି । କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତ୍ୱ ନିୟମକୁ ଓଡ଼ିଶା ସରକାର କଡ଼ାକଡ଼ି ଭାବେ ପାଳନ କରିବା ସହ ସମାବେଶ ନ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି, ଯାହା କି ସ୍ୱାଗତଯୋଗ୍ୟ । ରଥଯାତ୍ରାରେ ବହୁ ସଂଖ୍ୟାରେ ଜନସମାଗମ ହେଉଥିବାରୁ ଏ ବର୍ଷ ଏହା ବନ୍ଦ ହେବା ନେଇ ଆଶଙ୍କା ରହିଛି । ବର୍ଷ ବର୍ଷର ପରମ୍ପରାକୁ ବଜାୟ ରଖିବାକୁ ଯାଇ ସାମଜିକ ଦୂରତ୍ୱ ସମେତ ସମସ୍ତେ ନିୟମକୁ କଡ଼ାକଡ଼ି ପାଳନ କରି ରଥଯାତ୍ରାର ଆୟୋଜନ କରାଯାଉି । ଏହି ପରିପ୍ରେକ୍ଷୀରେ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା, ମୁକ୍ତି ମଣ୍ଡପର ପଣ୍ଡିତ, ଦଇତାପତି, ମନ୍ଦିର ସେବାୟତ ଓ ସମ୍ପୃକ୍ତ ଅନ୍ୟମାନଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ପରାମର୍ଶ କରିବାକୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ମନ୍ତ୍ରୀ ଅନୁରୋଓ କରିଛନ୍ତି । ସେମାନଙ୍କ ସହ ପରାମର୍ଶ ଭିତ୍ତିରେ ରଥଯାତ୍ରାର ରୂପରେଖ ତୁରନ୍ତ ପ୍ରସ୍ତୁତ କରିବାକୁ ସେ କହିଛନ୍ତି ।