ଦୂରଦର୍ଶନ ମାଧ୍ୟମରେ ପାଠ ପଢ଼ିବେ ଦଶମ ପିଲା
ଦୂରଦର୍ଶନ ମାଧ୍ୟମରେ ପାଠ ପଢ଼ିବେ ଦଶମ ପିଲା
admin
Apr 19, 2020 - 16:08
Updated: Apr 19, 2020 - 16:08
ମେ’ ୩ ଯାଏ ଲକଡାଉନ ଜାରି ରହିବାକୁ ଥିବାରୁ ସେ ପର୍ଯ୍ୟନ୍ତ ସ୍କୁଲ, କଲେଜ, ବିଶ୍ୱ ବିଦ୍ୟାଳୟ ବନ୍ଦ ରହିବ । ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବନି । ତା ଭିତରେ ପୁଣି ଜୁନ ୧୭ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିସାରିଛନ୍ତି । ତେଣୁ ମୋଟାମୋଟି ଭାବେ ଜୁନ ୧୭ ପର୍ଯ୍ୟନ୍ତ ସ୍କୁଲ ଗୁଡ଼ିକରେ କ୍ଲାସ ହୋଇପାରିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି । ପିଲାଙ୍କ ଘରେ ମାଗଣା ବହି ପହଞ୍ଚାଇବା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ହ୍ୱାଟସ ଆପ ମାଧ୍ୟମରେ ବି ପିଲାଙ୍କୁ ଶିକ୍ଷା ଦିଆଯାଇଛି । ବିଭିନ୍ନ ମୋବାଇଲ ଆପ ମାଧ୍ୟମରେ ପଢ଼ିବାକୁ ପିଲାଙ୍କୁ ପରାମର୍ଶ ଦିଆଯାଇଛି । ତେବେ ୨୦୨୧ ରେ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଛି ।
ଆସନ୍ତା ୨୦ ତାରିଖଠାରୁ ଦୂରଦର୍ଶନ (ଡିଡି ଓଡ଼ିଆ) ମାଧ୍ୟମରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ । ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି (ଓସେପା) ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ୨୦ ରୁ ‘ଏଜୁସାଟ’ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ବିଷୟରେ ପାଠ୍ୟକ୍ରମ ଦୂରଦର୍ଶନରେ ପ୍ରସାରଣ କରାଯିବ । ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଦୈନିକ ଏକ ଘଣ୍ଟା ଲେଖାଏ ଏହା ପ୍ରସାରଣ କରାଯିବ । ସକାଳ ୧୧ ରୁ ୧୨ଟା ଅପରାହ୍ନ ୩ ଟା ୩୦ ରୁ ୪ଟା ୩୦ ପର୍ଯ୍ୟନ୍ତ ପ୍ରସାରିତ ହେବ । ଇଂରାଜୀ ସମେତ ଗଣିତ, ଭୂଗୋଳ, ଏସସିପି ଓ ଏମସିଏଲ ବିଷୟରେ ଅନ୍ତର୍ଭୁକ୍ତ ରହିଛି ।