ଘଣ୍ଟମାଡ଼ରେ କମ୍ପିଲା, ଅଚଳାବସ୍ଥା ଜାରି

ଘଣ୍ଟମାଡ଼ରେ କମ୍ପିଲା, ଅଚଳାବସ୍ଥା ଜାରି

ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ସପ୍ତମ ଦିନ । ତେବେ ଆଜି ବି ବିଧାନସଭା ଆରମ୍ଭରୁ ଚାଲିପାରିଲାନି । ଆଜି ବିଧାନସଭା ଆରମ୍ଭ ହେଉ ହେଉ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ । ଘଣ୍ଟମାଡ଼ରେ କମ୍ପିଥିଲା ଗୃହ। ଫଳରେ ଧୋଇଗଲା ପ୍ରଶ୍ନକାଳ । ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ନକରିବା ଯାଏଁ ବିରୋଧ ଜାରି ରହିବ ବୋଲି ବିରୋଧୀ କହିଛନ୍ତି । ଶାସକ ଦଳ ବି ବିରୋଧୀ ଦଳର ଦୋମୁହାଁ ନୀତି ନେଇ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି । ପୂର୍ବଦିନ ଭଳି ଆଜି ମଧ୍ୟ ବିଧାନସଭାରେ ସମାନ ସ୍ଥିତି ଦେଖିବାକୁ ମିଳିଛି । ଆଜି ସପ୍ତମ ଦିନରେ ମଧ୍ୟ ବିଧାନସଭା ଚାଲିପାରୁନି । ଆଜି ବିଧାନସଭା ଆରମ୍ଭ ହେଉ ହେଉ ବିରୋଧୀ ସଦସ୍ୟମାନେ ମମିତା ମାମଲାକୁ ନେଇ ପ୍ରବଳ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଅନ୍ୟପକ୍ଷରେ ବିଜେପିର ଦୋମୁହାଁ ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିଜୁ ଜନତା ଦଳ । ବିଧାନସଭା ପରିସରସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେଡି ବିଧାୟକ । ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ବର୍ତ୍ତମାନ ବିଜେପିର ସତ ଲୋକଙ୍କ ନଜରକୁ ଆସୁଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ମମିତା ପ୍ରସଂଗରେ ରାଜନୀତି କରୁଛି । ଆଗାମୀ ନିର୍ବାଚନରେ ଜନସାଧାରଣ ବିଜେପିକୁ ଉଚିତ୍ ଜବାବ ଦେବେ । ସାଢେ ୧୧ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ପରେ ବି ବିରୋଧୀଙ୍କ ହଟଗୋଳ ଜାରି ରହିଥିଲା। ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ପ୍ରକାଶ ଯେ, ସାରା ରାଜ୍ୟରେ ଏବେ ମମିତା ନିଆଁ ହୁତୁ ହୁତୁ ହୋଇ ଜଳୁଛି । ମମିତା ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ପାଇଁ ବିରୋଧୀ ଦାବି କରିଆସୁଛନ୍ତି । ଏହା ସତ୍ତ୍ୱେ ବି ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରୁନାହାନ୍ତି । ଯାହାକୁ ନେଇ ବିରୋଧୀ ସଦସ୍ୟ ବିଧାନସଭା ଆରମ୍ଭ ଦିନଠାରୁ ଗୃହରେ ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି ।