ଜୀବିକା ଉଜାଡ଼ିଲା କରୋନା, ମଜୁରିଆ ପାଲଟିଲେ ଇଞ୍ଜିନିୟର
ଜୀବିକା ଉଜାଡ଼ିଲା କରୋନା, ମଜୁରିଆ ପାଲଟିଲେ ଇଞ୍ଜିନିୟର
admin
Oct 22, 2020 - 08:20
Updated: Oct 22, 2020 - 08:20
ବଲାଙ୍ଗୀର: କରୋନା ଲକଡାଉନ ଜୀବନ ଜୀବିକା ଉଜାଡ଼ି ଦେଇଛି । ଏହାର ଏକ ପ୍ରମାଣ ଯୁବ ଇଞ୍ଜିନିୟର ଅନନ୍ତ ବେରିଆଙ୍କ କ୍ଷେତ୍ରରେ ଦେଖାଦେଇଛି । ଏକଦା ଏକ ବେସରକାରୀ ସଂସ୍ଥାରେ କାର୍ୟ୍ୟ କରୁଥିବା ଅନନ୍ତ ହାତରେ କୋଡ଼ି, କୋଦାଳ ଧରି ପାଲଟିଛନ୍ତି ମନରେଗା ମଜୁରିଆ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏବଂ ନିଯୁକ୍ତି ନେଇ ଯେଉଁ ବାପାଙ୍କର ଦିନେ ଛାତି କୁଣ୍ଢେମୋଟ ହୋଇଥିଲା, ଏବେ ସେହି ବାପାଙ୍କ ସହ ଦେହରୁ ଝାଳ ବୁହାଉଛନ୍ତି । ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବଲାଙ୍ଗୀର ଜିଲ୍ଲାପାଳ ଡିଆରଡିଏରେ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।
ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଜୁର୍ଲାକାନୀ ଗାଁର ବୈଶାଖୁ ବେରିଆଙ୍କ ପୁଅ ଅନନ୍ତ । ଦୁଇ ପୁଅ ଓ ଦୁଇ ଝିଅ ଭିତରେ ସେ ବଡ଼ । ଦିନ ମଜୁରିଆ ଭାବରେ କାମ କରି ବୈଶାଖୁ ପୁଅ ଅନନ୍ତଙ୍କୁ ପାଠ ପଢ଼ାଇଥିଲେ । ୨୦୧୮ ମସିହାରେ ସିଭିଲ ଇଞ୍ଜିନିୟରରେ ବିଟେକ କରିବା ପରେ ଚେନ୍ନାଇରେ ଏକ ବେସରକାରୀ ସଂସ୍ଥାରେ କାମ କରୁଥିଲେ । କରୋନା ଲକଡାଉନ ସମୟରେ କାମ ବନ୍ଦ ହୋଇଯିବାରୁ ସେ ଗାଁକୁ ଫେରିଥିଲେ । ବଡ଼ ପରିବାରରେ ଏକ ମାତ୍ର ରୋଜଗାରିଆ ଭାବରେ ଏଠି ବାପା । ବାପାଙ୍କ ସହ ଅନନ୍ତ ବି ମନରେଗା ମଜୁରି କରିବାକୁ ବାହାରିଥିଲେ । ଶ୍ରମିକ ଭାବେ କାମ କରୁଥିଲେ ଇଞ୍ଜିନିୟର ଅନନ୍ତ । ମଙ୍ଗଳବାର ଦିନ ଜିଲ୍ଲାପାଳ ଚଞ୍ଚଳ ରାଣା ଜୁର୍ଲାକାନୀ ଗାଁରେ ମନରେଗା କାମ ଦେଖିବାକୁ ଆସିଥିବା ସମୟରେ ଏ ବିଷୟରେ ଜାଣିବାକୁ ପାଇଥିଲେ । ଅନନ୍ତଙ୍କ ସହ କଥା ହେବା ପରେ ବଲାଙ୍ଗୀର ଆସି ତାଙ୍କୁ ସାକ୍ଷାତ କରିବାକୁ କହିଥିଲେ । ଅନନ୍ତ ତାଙ୍କ ବାପା ବୈଷ୍ଣବ ବେରିଆଙ୍କ ସହ ଜିଲ୍ଲାପାଳ କାର୍ୟ୍ୟାଳୟକୁ ଆସିଥିଲେ । ଜିଲ୍ଲାପାଳ ସମସ୍ତ କାଗଜପତ୍ର ଦେଖିବା ପରେ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଦିଆଯିବ । ପ୍ରଥମେ ଡିଆରଡିଏ କାର୍ୟ୍ୟାଳରେ ଡାଟା ଏଣ୍ଟି୍ର ଅପରେଟର ଭାବେ ନିଯୁକ୍ତି ଦେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଅନନ୍ତ ପ୍ରକାଶ କରିଛନ୍ତି ।