ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ମହେଶ ହେମ୍ବ୍ରମ ଦେଲେ ଇସ୍ତଫା
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ମହେଶ ହେମ୍ବ୍ରମ ଦେଲେ ଇସ୍ତଫା
ବାରିପଦା: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ପୂର୍ବତନ ରାଜ୍ୟ ସଭାପତି ତଥା ବର୍ତ୍ତମାନ ଉପସଭାପତି ଦାୟିତ୍ୱରେ ଥିବା ମହେଶ ହେମ୍ବ୍ରମ ଦଳରୁ ଇସ୍ତଫା ଦେଇଛନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳର ରାଜ୍ୟ ନେତୃତ୍ବଙ୍କୁ ଝଟ୍କା ଦେଇଛନ୍ତି ମହେଶ। ପୂର୍ବରୁ ସୁଦାମ ମାରାଣ୍ଡି ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ। ଫଳରେ ମହେଶ ଦଳର ମଙ୍ଗ ଧରିଥିଲେ । ରାଜ୍ୟ ବିଶେଷକରି ମୟୂରଭଞ୍ଜ ଜିଲ୍ଲାରେ ଜେଏମଏମ ସଂଗଠନକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏପରି ସ୍ଥଳେ ମହେଶଙ୍କୁ ରାଜ୍ୟ ସଭାପତି ପଦରୁ ହଟାଇବା ପରେ ଶିବୁ ସୋରେନଙ୍କ କନ୍ୟା ତଥା ପୂର୍ବତନ ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ଅଞ୍ଜନୀ ସୋରେନ ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଦଳୀୟ ସଂଗଠନରେ ପରିବର୍ତ୍ତନ ସହ ମହେଶଙ୍କୁ ଉପସଭାପତି ପଦକୁ ଖସାଇ ଦିଆଯିବା ସହିତ ଦଳ ମଧ୍ୟରେ କୋଣଠେସା କରାଗଲା, ଯାହାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ଏହା ପରେ ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ଦଳରେ ଯୋଗଦାନ କରି ତାଙ୍କର ଅସନ୍ତୋଷକୁ ବଢ଼ାଇ ଦେଇଥିଲା। ଏପରିକି ଦଳୀୟ ନେତୃତ୍ୱଙ୍କ ନିଷ୍ପତ୍ତିକୁ ସେ ବାରିପଦାଠାରେ ଏକ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ଖୋଲା ବିରୋଧ କରିଥିଲେ । ସେହି ସମୟରେ ବି ମହେଶ ଜେଏମଏମ ପରିତ୍ୟାଗ କରି ବିଜେଡିରେ ଯୋଗ ଦେଇଥିବା ନେଇ ଚର୍ଚ୍ଚା ହୋଇଥିଲା । ଏହି ଚର୍ଚ୍ଚାର କିଛି ଦିନ ପରେ ସେ ଦଳରୁ ଇସ୍ତଫା ଦେଇଛନ୍ତି । ଅନ୍ୟ ପକ୍ଷରେ ମହେଶଙ୍କ ଇସ୍ତଫା ଦଳର ସାଂଗଠନିକ କାର୍ୟ୍ୟକ୍ରମ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଜେଏମଏମ ମୟୂରଭଞ୍ଜ-୧ ଜିଲ୍ଲା ସଭାପତି ପ୍ରଭୁଦାନ ମାର୍ଣ୍ଡି କହିଛନ୍ତି ।




admin 