ଦୁଇ ଆମେରିକୀୟ ଆର୍ଡେମ, ଡେଭିଡଙ୍କୁ ଭେଷଜରେ ନୋବେଲ
ଦୁଇ ଆମେରିକୀୟ ଆର୍ଡେମ, ଡେଭିଡଙ୍କୁ ଭେଷଜରେ ନୋବେଲ
ଷ୍ଟକହୋମ : ଭେଷଜରେ ଚଳିତ ବର୍ଷର ନୋବେଲ ପୁରସ୍କାର ପାଇଁ ଦୁଇ ଆମେରିକୀୟ ବୈଜ୍ଞାନିକ ଡେଭିଡ ଜୁଲିୟସ ଓ ଆର୍ଡେମ ପାଟାପୋଟିଆନଙ୍କୁ ମନୋନୀତ କରାଯାଇଛି । ତାପମାତ୍ରା ଓ ସ୍ପର୍ଶର ରିସେପ୍ଟର ଆବିଷ୍କାର ପାଇଁ ସେମାନଙ୍କୁ ଏହି ପୁରସ୍କାର ଦିଆଯାଉଛି । ଏମାନଙ୍କ ଦ୍ୱାରା ଆବିଷ୍କୃତ ଜ୍ଞାନ ଏକାଧିକ ରୋଗର ଚିକିତ୍ସା ପ୍ରଣାଳୀ ବିକାଶ ପାଇଁ ଉପଯୋଗ କରାଯାଉଛି । ଏପରିକି ଦୀର୍ଘଦିନ ଧରି ଲାଗି ରହିଥିବା ଯନ୍ତ୍ରଣାର ଉପଶମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ଗରମ, ଥଣ୍ଡା ଓ ସ୍ପର୍ଶ କିଭଳି ଆମ ସ୍ନାୟବିକ ବ୍ୟବସ୍ଥାକୁ ସଙ୍କେତ ଦେଉଛି ତାହା ଏମାନଙ୍କ ଦ୍ୱାରା ବିକଶିତ ଜ୍ଞାନରୁ ବୁଝାପଡୁଛି । ନୋବେଲ କମିଟି ମହାସଚିବ ଟମା ପେରିମାନଙ୍କ ଦ୍ୱାରା ସୋମବାର ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି । ଉକ୍ତ ସମ୍ମାନଜନକ ପୁରସ୍କାର ବାବଦକୁ ଏକ ସ୍ୱର୍ଣ୍ଣପଦକ ଓ ୧୦ ନିୟୁତ ସ୍ୱିଡିଶ କ୍ରୋନର (୧.୧୪ ନିୟୁତ ଡଲାରରୁ ଅଧିକ) ମିଳିବ । ସ୍ୱିଡେନର ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ଇଚ୍ଛାପତ୍ର ଅନୁଯାୟୀ ତାଙ୍କ ସଞ୍ଚିତ ରାଶିର ସୁଧରୁ ପ୍ରତିବର୍ଷ ଏହି ପୁରସ୍କାର ଦିଆଯାଉଛି । ଭେଷଜ ପରେ ଚଳିତ ବର୍ଷ ଅନ୍ୟାନ୍ୟ ବିଭାଗ ପାଇଁ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା ହେବ । ମଙ୍ଗଳବାର ପଦାର୍ଥ ବିଜ୍ଞାନ, ବୁଧବାର ରସାୟନ ବିଜ୍ଞାନ, ଗୁରୁବାର ସାହିତ୍ୟ, ଶୁକ୍ରବାର ଶାନ୍ତି ଏବଂ ଆସନ୍ତା ସୋମବାର ଅର୍ଥନୀତିର ବିଜେତାମାନଙ୍କ ନାମ ନୋବେଲ କମିଟି ଘୋଷଣା କରିବ ।




admin 