ଧର୍ମେନ୍ଦ୍ରଙ୍କ ବିରୋଧରେ ବିଜେପି ନେତାଙ୍କ ମେଳି

ଧର୍ମେନ୍ଦ୍ରଙ୍କ ବିରୋଧରେ ବିଜେପି ନେତାଙ୍କ ମେଳି

ଧର୍ମେନ୍ଦ୍ରଙ୍କ ବିରୋଧରେ ବିଜେପି ନେତାଙ୍କ ମେଳି

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବରିଷ୍ଠ ବିଜେପି ନେତାମାନେ ମେଳି ବାନ୍ଧିଛନ୍ତି ବୋଲି ରାଜନୀତିକ ଅଳିନ୍ଦରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି  । ବିଶେଷକରି ଏକ ହୋଟେଲରେ ଦଳର ବରିଷ୍ଠ ନେତାମାନେ ଏକାଠି ହେବା ଘଟଣାକୁ ନେଇ ଆଜି ଦିନ ତମାମ ସରଗରମ ଆଲୋଚନା ହେଉଛି  । କିନ୍ତୁ ବାସ୍ତବରେ ହୋଟେଲରେ ଦଳୀୟ ରଣନୀତି ନେଇ ଆଲୋଚନା ହୋଇଛି ନା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ସୌଜନ୍ୟମୂଳକ ଭାବେ ଏକାଠି ହୋଇଛନ୍ତି ତାହାକୁ ନେଇ ସଂଶୟ ପ୍ରକାଶ ପାଇଛି  ।

ମିଳିଥିବା ସୂଚନା ଅନୁଯାୟୀ, ସାଂସଦ ଅପରାଜିତାଙ୍କ ପୁଅ ସର୍ବଭାରତୀୟ ଆଇନ ପ୍ରବେଶିକା ପରୀକ୍ଷାରେ ୩୬ତମ ସ୍ଥାନ ହାସଲ କରିଛନ୍ତି  । ତେଣୁ ହୋଟେଲରେ ସେ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ  । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ  ।

ଏମାନଙ୍କ ବୈଠକକୁ ନେଇ ଚର୍ଚ୍ଚାର ବହୁ କାରଣ ରହିଛି  । ଏନେଇ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଧର୍ମେନ୍ଦ୍ରଙ୍କ ପାଇଁ ଏହି ନେତାମାନେ ଦଳରେ ବେଶୀ ଗୁରୁତ୍ୱ ପାଇପାରୁନାହାନ୍ତି  । କେନ୍ଦ୍ରମନ୍ତ୍ରୀ ହୋଇପାରିନଥିବାରୁ ଅପରାଜିତା, ବୈଜୟନ୍ତଙ୍କ ସମର୍ଥକମାନେ ଧର୍ମେନ୍ଦ୍ରଙ୍କୁ ଦାୟୀ କରୁଛନ୍ତି  । ସେହିପରି ପ୍ରତାପ ଷଡ଼ଙ୍ଗୀଙ୍କ ମନ୍ତ୍ରୀ ପଦ ଯିବା ପଛରେ ବି ଧର୍ମେନ୍ଦ୍ରଙ୍କ ହାତ ରହିଛି ବୋଲି ପ୍ରତାପଙ୍କ ସମର୍ଥକମାନେ କହିବାକୁ ପଛାଉନାହାନ୍ତି  । ଜୁଏଲଙ୍କର ପତିଆରାବି ବହୁମାତ୍ରାରେ କମିଯାଇଛି  । ତାଙ୍କ ସମର୍ଥକମାନେ ମଧ୍ୟ ଧର୍ମେନ୍ଦ୍ରଙ୍କ ଆଡ଼କୁ ଅଙ୍ଗୁଳି ନିଦେ୍ର୍ଧଶ କରୁଛନ୍ତି  । ଧର୍ମେନ୍ଦ୍ର ଏକପାଖିଆ ଭାବେ ବିଜେପି ସଂଗଠନକୁ ହାତେଇବା ପାଇଁ ସେମାନଙ୍କ ନେତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ସମର୍ଥକମାନେ ମତପ୍ରକାଶ କରୁଛନ୍ତି  । ଖାଲି ସେତିକିନୁହେଁ ବିଜେପି ପୂର୍ବାପେକ୍ଷା ଦୁର୍ବଳ ହୋଇଯାଇଛି  । ୨୦୧୭ ଓ ୨୦୧୯ରେ ଦଳର ଯେଉଁ ଧାକ ଥିଲା ଏବେ ତାହା ନାହିଁ  । ଏଥିପାଇଁ ସମାଲୋଚକମାନେ  ଧର୍ମେନ୍ଦ୍ରଙ୍କୁ ହିଁ ଦାୟୀ କରୁଥିବା ଲକ୍ଷ୍ୟ କରାଯାଉଛି  । ଧର୍ମେନ୍ଦ୍ରଙ୍କ ପ୍ରତି ଭିତରେ ଭିତରେ ଅସନ୍ତୁଷ୍ଟ ଥିବା ନେତାମାନେ ମେଳି ବାନ୍ଧିବା ଘଟଣାକୁ ଧର୍ମେନ୍ଦ୍ରଙ୍କ ସମର୍ଥକମାନେ ନିରିଖେଇ ଅନୁଶୀଳନ ଆରମ୍ଭ କରିଛନ୍ତି  ।