ପ୍ରଦର୍ଶନରେ କଂଗ୍ରେସ ଖୁସ୍
ପ୍ରଦର୍ଶନରେ କଂଗ୍ରେସ ଖୁସ୍
ଭୁବନେଶ୍ୱର: ବ୍ରଜରାଜନଗର ପରାଜୟ ସତ୍ତେତ୍ତ୍ୱ ଦଳର ପ୍ରଦର୍ଶନରେ ଉନ୍ନତି ଯୋଗୁ କଂଗ୍ରେସ ନେତା ଖୁସ୍ ଦେଖାଯାଉଛନ୍ତି । ଦଳ ପାଇଁ ବଡ଼ କଥା ହେଲା, ଏଥର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ଅମାନତ ଉଡ଼ିଯାଇନାହିଁ । ତା’ଠାରୁ ବଡ଼ ସଫଳତା ହେଲା, ଦଳ ଶକ୍ତିଶାଳୀ ବିଜେପିକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଉଠିଛି । ଯଦିଓ ୬୬ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜେଡିଠାରୁ କଂଗ୍ରେସ ହାରିଛି, ତଥାପି ୨୭ ହଜାରରୁ ଅଧିକ ଭୋଟ ପାଇବା ଦଳ ପାଇଁ ବଡ଼ ଉପଲବ୍ଧି ବୋଲି କୁହାଯାଉଛି । ଏଭଳି ପ୍ରଦର୍ଶନକୁ ଉନ୍ନତ ବୋଲି କହିବା ସହ କଂଗ୍ରେସକୁ ଭରସା କରିଥିବାରୁ ବ୍ରଜରାଜନଗର ଅଂଚଳବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପିସିସିର ନବନିଯୁକ୍ତ ସଭାପତି ଶରତ ପଟ୍ଟନାୟକ ।
ଶରତ କହିଛନ୍ତି, ଲୋକେ କଂଗ୍ରେସ ଉପରେ ଭରସା ପ୍ରକଟ କରିଛନ୍ତି । ଆଗାମୀଦିନରେ କଂଗ୍ରେସ ହିଁ ରାଜ୍ୟରେ ବିଜେଡିର ବିକଳ୍ପ । କଂଗ୍ରେସ ସାଲିସ ବିହୀନ ଲଢେ଼ଇ କରିବ । ଲୋକେ କଂଗ୍ରେସ ଉପରେ ପୁନଃ ଆସ୍ଥା ପ୍ରକଟ କରିବା ଆରମ୍ଭ କରିଛନ୍ତି । ଆଗାମୀଦିନରେ ବିଜେଡିକୁ ହଟାଇ କଂଗ୍ରେସ ରାଜ୍ୟରେ ସରକାର ଗଢ଼ିବ ।
ସୂଚନାଯୋଗ୍ୟ, ବ୍ରଜରାଜନଗର ଉପନିର୍ବାଚନ ଘୋଷଣାବେଳକୁ ପିସିସି ସଭାପତି ଥିଲେ ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନଙ୍କ ପସନ୍ଦରେ ହିଁ କିଶୋର ପଟେଲଙ୍କୁ ଦଳ ପ୍ରାର୍ଥୀ କରିଥିଲା । ହେଲେ ପ୍ରଚାର ଚାଲୁଥିବାବେଳେ ନୂଆ ସଭାପତି ନିଯୁକ୍ତ ହେଲେ ଶରତ । ସେତେବେଳେ ଶରତ ପ୍ରଚାରରେ ଲାଗିଥିଲେ । ଅବଶ୍ୟ, ଶରତ ସଭାପତି ହେବା ପରେ ବି ପ୍ରଥମ ଥର ପାଇଁ କଂଗ୍ରେସ ନେତାମାନେ ଏକାଠି ବ୍ରଜରାଜନଗରରେ ପ୍ରଚାର ଚଳାଇଥିଲେ । ପୂର୍ବତନ ସଭାପତି ନିରଞ୍ଜନ, ଓ ନୂଆ ସଭାପତି ଶରତ ପ୍ରଚାର ଚଳାଇଥିଲେ ।




admin 