ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ
ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ
admin
Jan 23, 2020 - 11:33
Updated: Jan 23, 2020 - 11:33
ବ୍ରହ୍ମପୁର / କୁକୁଡ଼ାଖଣ୍ଡି - ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା ଏବଂ ହତ୍ୟା ପରେ ଡାକ୍ତରଖାନା ଆସି ଅପମୃତୁ୍ୟ ରୂପ ଦେବାକୁ ଉଦ୍ୟମ ଅଭିଯୋଗ । ହେଲେ ପୁଲିସ ତଦନ୍ତ ବେଳେ ଘଟଣା ଜଣାପଡ଼ିଛି । ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ଗ୍ରାମର ଘଟଣା । ସୁକୁଣ୍ଡା ମଶାଣି ପଦର ସାହିର ପ୍ରଫୁଲ୍ଲ ସାହୁଙ୍କୁ ହତ୍ୟା କରିଛନ୍ତି ସ୍ତ୍ରୀ ଓ ତାଙ୍କ ପ୍ରେମିକ । ପ୍ରଫୁଲ୍ଲଙ୍କ ସ୍ତ୍ରୀ ମିତା ସାହୁ ଓ ତାଙ୍କ ପ୍ରେମିକ ସରୋଜ ମହାରଣାଙ୍କୁ ପୁଲିସ ଅଟକ ରଖିଛି । ୮ ବର୍ଷ ତଳେ ପ୍ରଫୁଲ୍ଲ ହୁଗୁଳାପଟା ଗ୍ରାମର ମିତା ସାହୁଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କର ଏବେ ଗୋଟିଏ ପୁଅ ଓ ଝିଅ ଅଛନ୍ତି । ପ୍ରଫୁଲ୍ଲ ରାଜ ମିସ୍ତ୍ରୀ ଭାବେ କାମ କରି ପରିବାର ପ୍ରତିପୋଷଣ କରି ସୁକୁଣ୍ଡାରେ ରହୁଛନ୍ତି । କିଛି ଦିନ ହେବା ମିତା ତାଙ୍କ ଧରମ ଭାଇ (ପ୍ରେମିକ) ସରୋଜ ମହାରଣାଙ୍କୁ ନିଜ ଘରେ ଆଣି ରଖିଥିଲେ । ସରୋଜ ଘରେ ରହିବା ପ୍ରଫୁଲ୍ଲଙ୍କୁ ପସନ୍ଦ ନଥିଲା । ଏହାକୁ ନେଇ ପ୍ରଫୁଲ୍ଲ ଓ ମିତାଙ୍କ ଭିତରେ ବାରମ୍ବାର କଳହ ହେଉଥିଲା । ମଙ୍ଗଳବାର ସନ୍ଧ୍ୟାରେ ପୁଣି ପ୍ରଫୁଲ୍ଲ ଓ ମିତାଙ୍କ ଭିତରେ ଝଗଡ଼ା ହୋଇଥିଲା । ସରୋଜ ଓ ମିତା ହଠାତ ପ୍ରଫୁଲ୍ଲଙ୍କୁ ଆକ୍ରମଣ କରିଥିଲେ ଏବଂ ତଣ୍ଟି ଚିପି ହତ୍ୟା କରିଥିଲେ । ସେଠାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନେଇ ପ୍ରଫୁଲ୍ଲଙ୍କୁ ଭର୍ତ୍ତି କରିଥିଲେ । ପ୍ରଫୁଲ୍ଲ ମଦ ପିଇଥିଲେ ଏବଂ ଘରକୁ ଆସି ପଡ଼ିଯିବାରୁ ଅଚେତ ହୋଇଯାଇଛନ୍ତି ବୋଲି କହି ଡାକ୍ତରଙ୍କୁ ଚିକିତ୍ସା କରିବାକୁ କହିଥିଲେ । ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ପ୍ରଫୁଲ୍ଲଙ୍କ ମୃତୁ୍ୟ ହୋଇସାରିଥିବା ପ୍ରକାଶ କରିବା ସହ ପୁଲିସ ଡାକିବାକୁ କହିଥିଲେ । ମିତା ସଦର ଥାନାରେ ପହଞ୍ଚି ଏ ସମ୍ପର୍କରେ ଏତଲା ଦେଇଥିଲେ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଘଟଣା ଘରେ ଥିବା ପ୍ରଫୁଲ୍ଲଙ୍କ ୧୩ ବର୍ଷ ବୟସର ଭଣଜା ଦେଖିଥିଲେ । ସେ ସମସ୍ତଙ୍କ ଆଗରେ ଘଟଣା ସମ୍ପର୍କରେ କହିଥିଲେ । ତାଙ୍କ ବୟାନକୁ ଆଧାର କରି ପରିବାର ଲୋକ ଏବଂ ଗ୍ରାମ ଲୋକ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ । ପୁଲିସ ପ୍ରଫୁଲ୍ଲଙ୍କ ଶବକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇବା ସହ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମିତା ଦେଇଥିବା ଅପମୃତୁ୍ୟ ମାମଲା ହତ୍ୟା ମାମଲାରେ ପରିଣତ ହୋଇଥିଲା । ଶବ ବ୍ୟବଚ୍ଛେଦ ସମୟରେ ପ୍ରଫୁଲ୍ଲଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡ଼ିଛି ବୋଲି ପୁଲିସ କହିଛି ।