ଫୋବର୍ସ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ସୁନ୍ଦରଗଡ଼ର ମାତିଲଦା

ଫୋବର୍ସ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ସୁନ୍ଦରଗଡ଼ର ମାତିଲଦା

ଫୋବର୍ସ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ସୁନ୍ଦରଗଡ଼ର ମାତିଲଦା

ସୁନ୍ଦରଗଡ଼ : ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ସୁନ୍ଦରଗଡ଼ର ମାତିଲଦା କୁଲୁ। ଆଗଧାଡ଼ିର କରୋନା ଯୋଦ୍ଧା ଭାବେ ମହାମାରୀ କରୋନା ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମାତିଲଦା ସମ୍ମାନଜନକ ଫୋର୍ବସ୍ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି । ଗତ ୧୫ ବର୍ଷ ଧରି ଜିଲ୍ଲାର ବଡ଼ଗାଁ ତହସିଲ ଗରଗଡ଼ବାହାଲ ଗାଁର ଆଶାକର୍ମୀ ଭାବେ କାର୍ୟ୍ୟ କରି ଆସୁଥିବା ୪୫ ବର୍ଷୀୟା ଏହି ମହିଳା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଲୋକଙ୍କ ନିକଟତର କରିବା ଏବଂ ଅଞ୍ଚଳରୁ ଅନ୍ଧବିଶ୍ୱାସ ସହ ଜାତିବାଦ, ଅସ୍ପୃଶ୍ୟତା ପରି ଘୃଣ୍ୟପ୍ରଥାକୁ ଦୂର କରିବା ପାଇଁ ଅକ୍ଲାନ୍ତ ଉଦ୍ୟମ ଜାରି ରଖିଛନ୍ତି । ତେବେ କୋଭିଡ୍ ଯୋଦ୍ଧା ଭାବେ ଏହି ତାଲିକାରେ ସ୍ଥାନ ପାଇଥିବା ମାତିଲଦା ବିଭିନ୍ନ କ୍ଷେତ୍ରର ସେବାମୂଳକ କାର୍ୟ୍ୟରେ ନିୟୋଜିତ ବା ନିମଗ୍ନ ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣାର ଅନନ୍ୟ ଉଦାହରଣ ସାଜିଛନ୍ତି । ମାତିଲଦାଙ୍କ ଦିନଚର୍ୟ୍ୟା ସକାଳ ୫ଟାରୁ ଆରମ୍ଭ ହୋଇଥାଏ । ସକାଳୁଆ ନିତ୍ୟକର୍ମ ସରିବା ପରେ ପ୍ରଥମେ ସେ ଘରକାମ ଶେଷକରନ୍ତି । ପରିବାରର ୪ଜଣ ସଦସ୍ୟଙ୍କ ପାଇଁ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରିବା ସହ ଗୋରୁମାନଙ୍କୁ ଖାଇବାକୁ ଦିଅନ୍ତି । 

ଏହାପରେ ତାଙ୍କ ଅସଲ ଜୀବନଯାତ୍ରା ଆରମ୍ଭ ହୋଇଥାଏ । ସାଇକେଲରେ ଗାଁ ଭିତରକୁ ଗଡ଼ନ୍ତି । ପ୍ରତିଟି ଦୁଆରକୁ ଯାଇ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରିବା ସହ ଗ୍ରାମବାସୀଙ୍କୁ କଳାଯାଦୁ ଉପରେ ନିର୍ଭର ନକରି ଉପଯୁକ୍ତ ଚିକିତ୍ସା ପ୍ରଣାଳୀ ଆପଣେଇବା ଦିଗରେ ସଚେତନ କରାନ୍ତି । ଏହିକ୍ରମରେ ସେ ଗାଁର ପ୍ରାୟ ୯୬୪ ଲୋକଙ୍କ ଯନô ନେଉଥିବା ଜଣାଯାଏ । ଘର ପରିଦର୍ଶନ ବ୍ୟତୀତ, ଔଷଧ ଯୋଗାଇବା, ପ୍ରସବ ସମୟରେ ମାଆମାନଙ୍କୁ ଡାକ୍ତରଖାନା ନେବା ଓ ଉଭୟ ମା ଓ ନବଜାତ ଶିଶୁଙ୍କ ନିୟମିତ ଯତ୍ନ ନେବା ଆଦି କାର୍ୟ୍ୟ କରିଥାନ୍ତି । କୁଲୁଙ୍କର ଅନ୍ୟାନ୍ୟ ନିୟମିତ କାର୍ୟ୍ୟଗୁଡ଼ିକ ହେଉଛି ଆଣ୍ଟେନେଟାଲ୍/ପୋଷ୍ଟନାଟାଲ୍ ଚେକ୍ ଅପ୍, ପ୍ରତିରୋପଣ, ସାନିଟାଇଜେସନ୍, ସ୍ୱଚ୍ଛତାକୁ ପ୍ରୋତ୍ସାହନ ଦେବା, ପୋଲିଓ, ଅନ୍ୟାନ୍ୟ ଟିକାକରଣ ଓ ବିଭିନ୍ନ ସର୍ଭେକୁ ସେ ସୂଚାରୁରୂପେ କରିଆସୁଛନ୍ତି । କେବଳ ସେତିକି ନୁହେଁ, ଜାତିପ୍ରଥାର ବିଲୋପ କରାଇବା ଦିଗରେ ମଧ୍ୟ ଅକ୍ଲାନ୍ତ ପରିଶ୍ରମ ତାଙ୍କୁ ଅନନ୍ୟ ପରିଚୟ ଦେଇଛି । ମାସିକ ମାତ୍ର ୪୫୦୦ ଟଙ୍କା ପାରିଶ୍ରମିକ ପାଉଥିବା ଶ୍ରୀମତୀ କୁଲୁ ଗାଁରେ ଭରି ରହିଥିବା ଅନ୍ଧବିଶ୍ୱାସ, ଜାତିବାଦ ଓ ଅସ୍ପୃଶ୍ୟତାକୁ ଚ୍ୟାଲେଞ୍ଜ ସହ ଗ୍ରହଣ କରି ଆଗକୁ ବଢ଼ିଛନ୍ତି । କୋଭିଡ -୧୯ ଆରମ୍ଭରୁ ଉଲ୍ଲେଖଯୋଗ୍ୟ କାର୍ୟ୍ୟ କରିଆସୁଥିବା ଗାଁର ଜଣେ ସାଧାରଣ ମହିଳା ମାତିଲଦା ଦେଶର ଶକ୍ତିଶାଳୀ ମହିଳା ବ୍ୟକ୍ତିତ୍ୱ ତାଲିକାରେ ସ୍ଥାନ ପାଇ ଜିଲ୍ଲା ପାଇଁ ଗୌରବ ସାଉଁଟିଛନ୍ତି ।