ବଢ଼ୁଛି ବାଘ ମୃତୁ୍ୟ, ୨୦୧୯ରେ ମରିଛନ୍ତି ୧୧୦ ବାଘ, ୪୯୧ ଚିତାବାଘ
ବଢ଼ୁଛି ବାଘ ମୃତୁ୍ୟ, ୨୦୧୯ରେ ମରିଛନ୍ତି ୧୧୦ ବାଘ, ୪୯୧ ଚିତାବାଘ
admin
Jan 2, 2020 - 05:20
Updated: Jan 2, 2020 - 05:20
ନାଗପୁର - ୨୦୧୯ ବର୍ଷରେ ଦେଶ ୧୧୦ ବାଘ ଏବଂ ୪୯୧ ଚିତାବାଘଙ୍କୁ ହରାଇଛି । ୧୧୦ ବାଘଙ୍କ ମଧ୍ୟରୁ ପ୍ରାୟ ୩୮ଟି ବାଘ ଶିକାର କରାଯାଇଛି । ୨୦୧୮ ତୁଳନାରେ ୨୦୧୯ରେ ବାଘ ଶିକାର ବୃଦ୍ଧି ପାଇଛି । ୨୦୧୮ରେ ୩୪ ବାଘ ଶିକାର କରାଯାଇଥିଲା । ତେବେ ୨୦୧୮ ତୁଳନାରେ ୨୦୧୯ରେ ଚିତାବାଘଙ୍କ ମୃତୁ୍ୟ ସଂଖ୍ୟା କମିଛି । ୨୦୧୮ରେ ୫୦୦ ଚିତାବାଘଙ୍କ ମୃତୁ୍ୟ ହୋଇଥିବା ବେଳେ ୨୦୧୯ରେ ୪୯୧ ଚିତାବାଘଙ୍କ ମୃତୁ୍ୟ ହୋଇଛି । ଏନ୍ଜିଓ ଡବ୍ଲୁ୍ୟପିଏସ୍ଆଇ (ଭାରତର ବନ୍ୟଜନ୍ତୁ ସୁରକ୍ଷା ସମାଜ) ରିପୋର୍ଟରୁ ଏହା ଜଣାପଡ଼ିଛି । ତେବେ ୨୦୧୮ରେ ସମୁଦାୟ ୧୦୪ ବାଘଙ୍କ ମୃତୁ୍ୟ ହୋଇଥିଲା । ତେଣୁ ଚଳିତ ବର୍ଷ ଏହା ବୃଦ୍ଧି ପାଇଛି । ବାଘ ମୃତୁ୍ୟ କ୍ଷେତ୍ରରେ ମଧ୍ୟପ୍ରଦେଶ ତାଲିକାର ସବୁଠୁ ଆଗରେ ରହିଛି । ମଧ୍ୟପ୍ରଦେଶରେ ୨୦୧୯ରେ ୨୯ ବାଘଙ୍କ ମୃତୁ୍ୟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୨୨, କର୍ଣ୍ଣାଟକରେ ୧୨, ଉତ୍ତରାଖଣ୍ଡରେ ୧୨, ଉତ୍ତରପ୍ରଦେଶର ୬, ରାଜସ୍ଥାନରେ ୩ ଏବଂ କେରଳରେ ୩ ବାଘଙ୍କ ମୃତୁ୍ୟ ହୋଇଛି ।
ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡରେ ବାଘମୃତୁ୍ୟ ସଂଖ୍ୟା ୨୦୧୮ ତୁଳନାରେ ବଢ଼ିଥିବା ବେଳେ କର୍ଣ୍ଣାଟକ, ରାଜସ୍ଥାନ ଏବଂ କେରଳରେ କମିଛି । ୨୦୧୯ରେ ମୃତୁ୍ୟ ହୋଇଥିବା ୧୧୦ ବାଘଙ୍କ ମଧ୍ୟରୁ ୩୮ଟି ବାଘକୁ ଶିକାର କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । ବାଘ ଶରୀରର ବିଭିନ୍ନ ଅଂଶ ପାଇଁ ଏହାକୁ ଶିକାର କରାଯାଇଥିଲା । ୨ଟି ବାଘଙ୍କ ସ୍ୱାଭାବିକ ମୃତୁ୍ୟ ହୋଇଥିଲା ଏବଂ ୩୬ ବାଘ ସହ ସଂଘର୍ଷରେ ମୃତୁ୍ୟର ଶିକାର ହୋଇଥିଲେ । ସଡ଼କ ଦୁର୍ଘଟଣାରେ ୩ବାଘଙ୍କ ମୃତୁ୍ୟ ହୋଇଥିବା ବେଳେ ୬ ଜଣଙ୍କର ଉଦ୍ଧାର ସମୟରେ ମୃତୁ୍ୟ ହୋଇଥିଲା । ତେବେ ଏନ୍ଟିସିଏ (ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ) ତଥ୍ୟ ଠାରୁ ଏହା ଭିନ୍ନ ରହିଛି । ଏନ୍ଟିସିଏ ତଥ୍ୟ ଅନୁଯାୟୀ ୨୦୧୯ରେ ୯୨ ବାଘଙ୍କ ମୃତୁ୍ୟ ହୋଇଥିବା ବେଳେ ୨୦୧୮ରେ ୧୦୨ ବାଘଙ୍କ ମୃତୁ୍ୟ ହୋଇଥିଲା ।