ବର୍ଷା ପାଇଁ ଏପରି ଛତା ବ୍ୟବହାର କରନ୍ତୁ
ବର୍ଷା ପାଇଁ ଏପରି ଛତା ବ୍ୟବହାର କରନ୍ତୁ
ଭୁବନେଶ୍ୱର: ବର୍ଷା ଦିନ ଆସିଗଲାଣି । ରାଜ୍ୟରେ ପ୍ରତ୍ୟେକ ଜିଲ୍ଲାରେ ଲାଗିରହିଛି ପ୍ରବଳ ବର୍ଷା । କିନ୍ତୁ ଆମ ନିତିଦିନିଆ ଜୀବନ ଜାପନ ତ କରିବାକୁ ପଡ଼ୁଛି । ବର୍ଷାଦିନେ ସୁରକ୍ଷା ପାଇବା ଲାଗି ଛତା ସଭିଙ୍କୁ ଲୋଡ଼ା। ତେବେ ଅନେକେ ଛତା କିଣିବା ବେଳେ ଏହାର କଲର ଏବଂ ଆକର୍ଷଣୀୟ ଡିଜାଇନ୍କୁ ଅଧିକ ଗୁରୁତ୍ୱ ଦେଇଥା’ନ୍ତି । ଫଳରେ ବର୍ଷା ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି। ତେଣୁ ଛତା କିଣିବା ବେଳେ କେଉଁସବୁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ସେ ସମ୍ପର୍କରେ କେତୋଟି ଟିପ୍ସ…
ଛତା କିଣିବାର ମୂଳ ଲକ୍ଷ୍ୟ ହେଉଛି ବର୍ଷା ପାଣିରୁ ରକ୍ଷାପାଇବା। ତେଣୁ ଛତାଟି କିପରି ଆପଣଙ୍କୁ ସମ୍ପୂର୍ଣ୍ଣ ଘୋଡ଼ାଇ ହେଉଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏହା ବ୍ୟତୀତ ଏହାର କପଡ଼ା ଯେପରି ଭଲ କ୍ୱାଲିଟିର ଏବଂ ଓ୍ବାଟରପ୍ରୁଫ୍ ହୋଇଥିବ ତାହା ଦେଖନ୍ତୁ। ନଚେତ୍ ଛତା ଭିଜିଯାଇ ପାଣି ପଡ଼ିବା ଦ୍ୱାରା ଆପଣଙ୍କୁ ଓଦା ହେବାକୁ ପଡ଼ିପାରେ।
ଛତା ଅଧିକ ଓଜନିଆ ହୋଇଥିଲେ ମଜଭୁତ ରହିବ ବୋଲି ଏଭଳି ଅନେକଙ୍କ ମନରେ ଧାରଣା ଥାଏ। ହେଲେ ଏଭଳି ଛତା ଅଧିକ ସମୟ ଧରିବା ଦ୍ୱାରା ହାତରେ କଷ୍ଟ ହୋଇଥାଏ। ତେଣୁ ଭଲ କ୍ୱାଲିଟିର ଲାଇଟ୍ ଓ୍ବେଟ୍ ଛତା ବାଛନ୍ତୁ।
ସୁନ୍ଦର ଦେଖାଯାଉଥିବା ଛତା ସଭିଙ୍କୁ ପସନ୍ଦ। ହେଲେ ଏହାକୁ କିଣିବା ବେଳେ କପଡ଼ାର ସିଲେଇ ସ୍ଥାନଗୁଡ଼ିକରେ ଯେପରି ପାଣି ଭିତରକୁ ଆସୁଥିବା ଭଳି ଛୋଟ ଛୋଟ କଣା ନ ଥାଏ ପରଖି ନିଅନ୍ତୁ।
କେବଳ ଏତିକି ନୁହେଁ, ଛତାର ବେଣ୍ଟ ବା ହ୍ୟାଣ୍ଡେଲ୍ ମଧ୍ୟ ଅନେକଙ୍କ ପାଇଁ ଅନ୍ୟତମ ଆକର୍ଷଣ। ଏହାକୁ ଆଖି ଆଗରେ ରଖି କମ୍ପାନୀଗୁଡ଼ିକ ଭଳିକି ଭଳି ଡିଜାଇନ୍ର ହ୍ୟାଣ୍ଡେଲ୍ ଥିବା ଛତା ପ୍ରସ୍ତୁତ କରୁଛନ୍ତି। ତେବେ ଏହାକୁ ଦେଖି ଛତା ବାଛିବା ବଦଳରେ ତାହା ଧରିବା ଲାଗି କମ୍ଫର୍ଟେବଲ୍ କି ନୁହେଁ ଦେଖନ୍ତୁ। ନଚେତ୍ ଅଧିକ ସମୟ ଏହାକୁ ବ୍ୟବହାର କଲେ ହାତ ପାପୁଲି ଏବଂ ଆଙ୍ଗୁଠି ଦରଜ ହେବା, ବିନ୍ଧିବା ଭଳି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି।
ବର୍ତ୍ତମାନ ହାଲୁକା ଲାଗିବା ଲାଗି ପ୍ଲାଷ୍ଟିକ୍ କାଠି ଥିବା ଛତା ମାର୍କେଟ୍କୁ ଆସିଲାଣି। ତେବେ ଏହା କେତେ ମଜଭୁତ ଭଲ ଭାବେ ଦେଖିନିଅନ୍ତୁ। ନଚେତ୍ କେବେକେବେ ପବନରେ ଛତାର କାଠିଗୁଡ଼ିକ ଓଲଟି ପଡୁଥିବାରୁ ଏଭଳି ଛତା ଶୀଘ୍ର ଭାଙ୍ଗିଯିବାର ଆଶଙ୍କା ରହିଛି। ତେଣୁ ଯଥାସମ୍ଭବ ମଜଭୁତ ତଥା ଷ୍ଟିଲ୍ କାଠିଥିବା ଛତା ବାଛନ୍ତୁ।
ବ୍ୟାଗ୍ରେ କ୍ୟାରି କରିବା ସହଜ ହେଉଥିବାରୁ ୨-୩ ଫୋଲ୍ଡ ଛତା ଅନେକେ ପସନ୍ଦ କରନ୍ତି। ତା’ଛଡା ଏହା ଦେଖିବାକୁ ମଧ୍ୟ ବେଶ୍ ଆକର୍ଷଣୀୟ ଲାଗିଥାଏ। ହେଲେ ଏସବୁ ଶୀଘ୍ର ଭାଙ୍ଗିବାର ଆଶଙ୍କା ବେଶୀ। ତେଣୁ ଏଭଳି ଛତା କିଣିବା ବେଳେ ଏହାକୁ ଖୋଲି ଭଲ ଭାବେ ଏହାର କପଡ଼ା, ଷ୍ଟିକ୍ ଆଦି ଚେକ୍ କରିନିଅନ୍ତୁ।
ସେହିପରି ସ୍ପ୍ରିଙ୍ଗ୍ ବଟନ୍ ଛତା ମଧ୍ୟ ଶୀଘ୍ର ଖରାପ ହୋଇଯାଉଥିବା ଦେଖିବାକୁ ମିଳିଥାଏ। ଏହା ବଦଳରେ ମ୍ୟାନୁଆଲ୍ ବା ହାତରେ ଖୋଲୁଥିବା ଛତା କିଣିବା ଭଲ।




admin 