ବିଧାନସଭା ବଜେଟ ଅଧିବେଶନ ସରିଲା

ବିଧାନସଭା ବଜେଟ ଅଧିବେଶନ ସରିଲା

ବିଧାନସଭା ବଜେଟ ଅଧିବେଶନ ସରିଲା
ଭୁବନେଶ୍ୱର : ଫେବୃଆରୀ ୧୮ରୁ ଦୁଇ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ବଜେଟ ଅଧିବେଶନ ଶେଷ ହୋଇଛି । ୫ଟି କାର୍ଯ୍ୟଦିବସ ପୂର୍ବରୁ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି । ଚଳିତ ଅଧିବେଶନରେ ୨୬ ଦିନ ବିଧାନସଭା ବସିଥିବାବେଳେ ୯ଟି ବିଲ ପାରିତ ହୋଇଛି । ଏହି ଅବକାଶରେ ୨୦୭୨ଟି ତାରକା ପ୍ରଶ୍ନ ଆସିଥିବାବେଳେ ୪୪ଟି ପ୍ରଶ୍ନ ଉପରେ ଆଲୋଚନା ହୋଇଥିଲା । ସେହିପରି ୩୮୩୦ଟି ଅଣତାରକା ପ୍ରଶ୍ନର ଉତର ଗୃହରେ ଉପସ୍ଥାପିତ ହୋଇଛି । ଏତଦବ୍ୟତୀତ ୫ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିବାବେଳେ ୯ଟି ବିବୃତି ଉପସ୍ଥାପିତ ହୋଇଛି । ଏହାଛଡ଼ା ୩ଟି ସଂକଳ୍ପ ମଧ୍ୟ ଚଳିତ ଅଧିବେଶନରେ ଆଗତ ହୋଇଥିଲା । ଆଜି ଗୋଟିଏ ଦିନରେ ୫ଟି ବିଲ ପାଶ ହେବା ପରେ ବିଭିନ୍ନ କମିଟି ସଂକ୍ରାନ୍ତରେ ଘୋଷଣା ହୋଇଥିଲା । ପରେ ଶାସକ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ କହିଥିଲେଯେ, ଗୃହରେ ବଜେଟ ଗୃହୀତ ହୋଇସାରିଛି । ୯ଟି ବିଲ ମଧ୍ୟ ପାରିତ ହୋଇଛି । ଗୃହରେ ସେମିତି ଆଉ ବିଶେଷ କାର୍ଯ୍ୟ ନାହିଁ । ଅପରପକ୍ଷରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି । ତେଣୁ ଗୃହକାର୍ଯ୍ୟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ରଖିବାକୁ ସେ ପ୍ରସ୍ତାବ ଦେଇଥିଲେ । ସେହିପରି ବିଧାୟକ ଶଶୀଭୂଷଣ ବେହେରା, ବିଧାୟକ ଅଶ୍ୱିନୀ ପାତ୍ର ମଧ୍ୟ ପ୍ରସ୍ତାବକୁ ସମର୍ଥନ କରି ମତ ଉପସ୍ଥାପିତ କରିଥିଲେ । ଅପରପକ୍ଷରେ ବିଧାୟକଙ୍କୁ ନିଲମ୍ବନ କରିବା ପ୍ରସଙ୍ଗରେ ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିଥିବାବେଳେ ବିନା ଆଲୋଚନାରେ ବିଲ ପାରିତ ହେଉଛି ବୋଲି ପ୍ରତିବାଦ କରି କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରିଥିଲେ । ତେବେ ବାଚସ୍ପତି ସତ୍ରାବସାନ କରିବା ପୂର୍ବରୁ ବିଜେପି ଓ କଂଗ୍ରେସ ବିଧାୟକମାନଙ୍କୁ ଗୃହକୁ ଆସିବାକୁ ନିବେଦନ କରିଥିଲେ । କଂଗ୍ରେସ ବିଧାୟକମାନେ ଗୃହକୁ ଆସିଥିଲେବି ବିଜେପି ବିଧାୟକମାନେ ପୂର୍ବଭଳି ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତି ତଳେ ଧାରଣାରେ ବସି ରହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ କାର୍ଯ୍ୟ ସମ୍ପାଦନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଚଳିତ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ବୋଲି କହିଥିଲେ । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ବାଚସ୍ପତି ଡକ୍ଟର ପାତ୍ର ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, କଂଗ୍ରେସ ବିଧାୟକ ଦଳ ନେତା, ସମସ୍ତ ବିଧାୟକ ଓ ବିଧାୟିକା, ପୁଲିସ ଏବଂ ସାମ୍ବାଦିକମାନଙ୍କୁ ଧନ୍ୟବାଦ ଜଣାଇବା ପରେ ବନେ୍ଦ ଉକôଳ ଜନନୀ ଗାୟନ କରାଯାଇଥିଲା । ଏହା ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ ।