ଭାରତରେ ଦୁର୍ବଳ ହେଉଛି ଗଣତନ୍ତ୍ର !

ଭାରତରେ ଦୁର୍ବଳ ହେଉଛି ଗଣତନ୍ତ୍ର !

ଭାରତରେ ଦୁର୍ବଳ ହେଉଛି ଗଣତନ୍ତ୍ର !
ନୂଆଦିଲ୍ଲୀ - ଗଣତନ୍ତ୍ର ସୂଚକାଙ୍କ ବିଶ୍ୱ ର୍ୟାଙ୍କିଂରେ ଭାରତ ୧୦ଟି ସ୍ଥାନ ତଳକୁ ଖସି ଆସିଛି । ଗଣତନ୍ତ୍ର ସୂଚୀ ତାଲିକାରେ ଭାରତ ଏବେ ୫୧ତମ ସ୍ଥାନରେ ରହିଛି । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଏବଂ ୩୫ (ଏ) ଉଚ୍ଛେଦ, ଆସାମରେ ଏନ୍ଆରସି ଲାଗୁ ହେବା ଏବଂ ସଂଶୋଧିତ ନାଗରିକତା ଆଇନ ଯୋଗୁଁ ଭାରତରେ ସୃଷ୍ଟି ହୋଇଥିବା ଅଶାନ୍ତି ଓ ଆନେ୍ଦାଳନ ଯୋଗୁଁ ୨୦୧୯ରେ ଭାରତୀୟ ‘ଗଣତନ୍ତ୍ରର ପଶ୍ଚାତଗତି' ହୋଇଛି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି । ଇକନମିକ୍ ଇଣ୍ଟେଲିଜେନ୍ସ ୟୁନିଟ୍ ଏବଂ ଇକନମିଷ୍ଟ ଗ୍ରୁପର ଗବେଷଣା ଏବଂ ବିଶ୍ଳେଷଣ ବିଭାଗ ପକ୍ଷରୁ ବିଶ୍ୱର ୧୬୫ ସ୍ୱାଧୀନ ରାଷ୍ଟ୍ରରେ ଭୋଟ୍ ମାଧ୍ୟମରେ ଏହି ଗଣତନ୍ତ୍ର ସୂଚୀ ପ୍ରସ୍ତୁତ ହୋଇଛି । ୨୦୧୮ରେ ଭାରତ ୭.୨୩ ପଏଣ୍ଟ ହାସଲ କରିଥିବା ବେଳେ ୨୦୧୯ରେ ୬.୯୦ ପଏଣ୍ଟ ପାଇଛି । ଏହା ଫଳରେ ଭାରତ ୨୦୧୮ ତୁଳନାରେ ୨୦୧୯ରେ ୧୦ଟି ସ୍ଥାନ ତଳକୁ ଖସିଆସିଛି । ୨୦୧୯ ଗଣତନ୍ତ୍ର ସୂଚୀରେ ନରୱେ ସର୍ବାଧିକ ୯.୮୭ ପଏଣ୍ଟ ପାଇ ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ ଉତ୍ତର କୋରିଆ ୧.୦୮ ପଏଣ୍ଟ ହାସଲ କରି ଏହି ସୂଚୀର ସବୁଠୁ ତଳେ ରହିଛି । ସେହିଭଳି ଚୀନର ସ୍ଥାନ ମଧ୍ୟ ସୂଚୀର ଶେଷ ଆଡକୁ ରହିଛି । ଚୀନ୍ ୨.୨୬ ପଏଣ୍ଟ ହାସଲ କରି ଏହି ତାଲିକାର ୧୫୩ତମ ସ୍ଥାନରେ ରହିଛି । ୨୦୧୯ ବର୍ଷଟି ସମଗ୍ର ଏସିଆର ଗଣତନ୍ତ୍ର ପାଇଁ "ବିଭ୍ରାନ୍ତିକର ବର୍ଷ' ଥିଲା ବୋଲି ଏହି ସୂଚୀରେ ଦର୍ଶାଯାଇଛି । ତେବେ ଥାଇଲାଣ୍ଡ ପୂର୍ବବର୍ଷ ତୁଳନାରେ ଉନ୍ନତି କରି ୩୮ତମ ସ୍ଥାନରେ ରହିଛି । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଏବଂ ୩୫(ଏ) ଉଚ୍ଛେଦ, ଆସାମରେ ଏନ୍ଆର୍ସି ଲାଗୁ ହେବା ଏବଂ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶ ବ୍ୟାପୀ ବିରୋଧ ଯୋଗୁଁ ୨୦୧୯ରେ ଭାରତରେ ଗଣତନ୍ତ୍ରର ଅବକ୍ଷୟ ଘଟିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଜମ୍ମୁ-କାଶ୍ମୀରରେ ବ୍ୟାପକ ସେନା ମୁତୟନ, ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି ହେବା, ସ୍ଥାନୀୟ ନେତାଙ୍କୁ ଅଟକ ରଖିବା, ଇଣ୍ଟରନେଟ୍ ସେବା ବ୍ୟାହତ ଆଦି ବିଭିନ୍ନ କାରଣକୁ ନେଇ ଭାରତ ଗଣତନ୍ତ୍ର ସୂଚୀ ତାଲିକାରେ ୧୦ଟି ସ୍ଥାନ ତଳକୁ ଖସି ଆସିଛି ବୋଲି କୁହାଯାଇଛି ।