ଭୟଙ୍କର ବର୍ଷାରେ ଉବୁଟୁବୁ

ଭୟଙ୍କର ବର୍ଷାରେ ଉବୁଟୁବୁ

ଭୟଙ୍କର ବର୍ଷାରେ ଉବୁଟୁବୁ


ଭୁବନେଶ୍ୱର: ଭୟଙ୍କର ବର୍ଷା । ଆକଳନଠାରୁ ବି ଢେର ଅଧିକ । ୨୪ ଘଣ୍ଟାରେ ଅସ୍ତରଙ୍ଗରେ ୫୩୦ ମିଲିମିଟର, କାକଟପୁରରେ ୫୨୫, ବାଲିକୁଦାରେ  ୪୪୦, କଣ୍ଟାପଡ଼ାରେ ୩୮୧, ନିଆଳିରେ ୩୭୦, ନୂଆଗାଁରେ ୩୮୦, ରଘୁନାଥପୁରରେ ୩୨୩, ପୁରୀରେ ୩୫୨, ଗୋପରେ ୩୩୧, ସତ୍ୟବାଦୀରେ ୩୨୮, ନିମାପଡ଼ାରେ ୩୦୨ ମିମି ବର୍ଷା ଢାଳିଛି । ଏମିତି ବର୍ଷ ହୋଇଛି ବିଗତ ବର୍ଷମାନଙ୍କର ରେକର୍ଡ ଭାଙ୍ଗି ଦେଇଛି । ପୁରୀରେ ଗତ ୨୪ ଘଣ୍ଟାର ବର୍ଷା ୮୭ ବର୍ଷର ରେକର୍ଡ ଭାଙ୍ଗିଥିବାବେଳେ ଭୁବନେଶ୍ୱରରେ ୬୩ ବର୍ଷର ରେକର୍ଡ ଭାଙ୍ଗି ୨୪ ଘଣ୍ଟାରେ ୨୦୦ ମିମିରୁ ଅଧିକ ବର୍ଷା ଛେଚିଛି । 

  ୨୬ଟି ବ୍ଲକରେ ଗତ ୨୪ ଘଣ୍ଟାରେ ୨୦୦ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଆଜି ବି ବର୍ଷା ଛାଡୁନି । ଲଗାଣ ବର୍ଷା ଯୋଗୁ ଭୁବନେଶ୍ୱର ରେଳ ଷ୍ଟେସନରେ ପାଣି ଲହରୀ ଭାଙ୍ଗୁଛି । ରାସ୍ତାରେ ଗାଡ଼ି ଭାସୁଛି । ପୁରୀ ସହର ଉବୁଟୁବୁ ହେଉଛି । କଟକରେ ବଡ଼ ମେଡିକାଲରେ ପାଣି ପଶିଥିବାବେଳେ କୁଜଙ୍ଗରେ ଥାନାରେ ପାଣି ପଶିଲାଣି । ଭଦ୍ରକ ଆଖଣ୍ଡଳମଣି ମନ୍ଦିରରେ ପାଣି ପଶିଛି । ବ୍ରହ୍ମଗିରି ଅଲାରନାଥ, ଭୁବନେଶ୍ୱର ବୈତାଳ ମନ୍ଦିରରେ ପାଣି ଲହରୀ ଭାଙ୍ଗୁଛି । ସାରା ଓଡ଼ିଶା ପାଣିରେ ଉବୁଟୁବୁ ହେଉଛି । 

  ଲଗାଣ ବର୍ଷାରେ ପୁରୀ, ଭୁବନେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ବୌଦ୍ଧ, ନୟାଗଡ଼ରେ ଅବସ୍ଥା ସବୁଠୁ ବେଶି ଶୋଚନୀୟ । ବର୍ଷା ବିପôାତ ଯୋଗୁ ଜନଜୀବନ ପ୍ରଭାବିତ । ତଳି ଇଲାକାର ଘର ଭିତରେ ଆଣ୍ଠୁଏ ଲେଖାଏ ପାଣି । ପୁରୀରେ ଲହରୀ ଭାଙ୍ଗୁଛି ବର୍ଷା ପାଣି । ଅନ୍ୟପକ୍ଷେ ବିଭିନ୍ନ ନଦୀର ଜଳସ୍ତର ଫୁଲିବାରେ ଲାଗିଛି ।  

  ଏପଟେ ପାଣିପାଗ ବିଭାଗ ସତର୍କ କରାଇଛି ଯେ, ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ ପରେ ପୁଣି ଗଭୀର ଅବପାତ ରୂପ ନେଇଯାଇଛି । ଏହା ଉତ୍ତର ଓଡ଼ିଶା ଉପରେ ରହିଛି । ଏହା ପ୍ରଭାବରେ ବର୍ଷା ଆଜି ବି ଛାଡ଼ିବନି । ଲାଗି ରହିବ କାଲି ସକାଳ ଯାଏ । ନିର୍ଧୁମ ବର୍ଷିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ଛେଚିବ । ବର୍ଷା ଲାଗି ରହିଥିବାବେଳେ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଢାଳିବ । ତେଣୁ ଉପକୂଳ ପରେ ଏସବୁ ଜିଲ୍ଲାରେ ସ୍ଥିତି ସାଂଘାତିକ ହେବା ଆଶଙ୍କା ବଢ଼ିଛି । ଏହି ୫ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । 

  ବଲାଙ୍ଗିର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, କେନ୍ଦୁଝର, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଓ କଟକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହେବ ଆଜି । ସେହିପରି ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ଅଛି । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲିଠାରୁ ବର୍ଷା ପ୍ରକୋପ କମିବ । ତଥାପି କେତେକ ଜିଲ୍ଲାରେ ବର୍ଷା ଲାଗି ରହିବ ।

  ବର୍ଷା ପ୍ରକୋପରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିଛି । ହେଲେ କୌଣସି ଜାଗାରେ ବନ୍ୟା ସ୍ଥିତି ଉପୁଜି ନାହିଁ । ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । କେବଳ ଜଳକା ନଦୀ ବିପଦ ସଙ୍କେତ ପାଖରେ ରହିଛି । 

  ଭୀଷଣ ଅବପାତ ଯୋଗୁ ସମୁଦ୍ର ତଟ ଇଲାକାରେ ପବନ ବହୁଥିବାବେଳେ ସମୁଦ୍ର ଅଶାନ୍ତ ରହିଛି । ପବନ ବେଗର ୩୫ କିମିରୁ ୫୫ କିମି ରହିଛି । ତେଣୁ ସମୁଦ୍ରକୁ ଯିବା ପାଇଁ ମନା କରାଯାଇଛି । ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।