ମେୟରଙ୍କୁ ବାଥରୁମ କବାଟ ଭେଟି ଦେଲେ ମାନସ
ମେୟରଙ୍କୁ ବାଥରୁମ କବାଟ ଭେଟି ଦେଲେ ମାନସ
କଟକ: ପୂରା ଅଭିନବ ଷ୍ଟାଇଲ, ବୋଧ ହୁଏ ଏମିତି ଦୃଶ୍ୟ ଆଗରୁ ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିନଥିଲା। କଟକ ମେୟରଙ୍କ ପାଇଁ କବାଟ ଉପହାର, ତାହା ପୁଣି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ଦ୍ୱାରା। ମାନସଙ୍କ ଏଭଳି ଉପହାର କଟକ ସହରରୁ ନେଇ ଭୁବନେଶ୍ୱର ଏବଂ ସାରା ରାଜ୍ୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।
ଘଟଣା ପୂରା ତାଜା, ଏଇ କିଛି ସମୟ ପୂର୍ବର। ହଠାତ ବାଥ ରୁମ କବାଟ ଧରି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ସିଏମସି କମିସନରଙ୍କ କାର୍ଯ୍ୟାଳୟରେ ପହଂଚିଲେ, ସାଥିରେ କିଛି ଦଳୀୟ କର୍ମୀ ବି ଥିଲେ । କମିଶନର କିଛି ବୁଝି ପାରିଲେନି, ଘଟଣା କଣ? ମାନସ କହିଲେ, ଏ କବାଟ ମାନ୍ୟବର ସିଏସି ମେୟରଙ୍କ ପାଇଁ, ଆମେ ଶୁଣିଲୁ ମେୟରଙ୍କ ଦପ୍ତର ବାଥରୁମ କବାଟ କୁଆଡ଼େ ଭାଙ୍ଗିଯାଇଛି । ସେ ଭଲରେ ଝାଡ଼ା, ପରିସ୍ରା କିମ୍ବା ଶୌଚ ହୋଇପାରୁନାହାନ୍ତି । ଏମିତିକି ମେୟର ନିଜେ ସିଏମସି ବୈଠକରେ ଏକଥା କହି ନିଜ ଦୁଃଖ ଜଣାଇଛନ୍ତି। କଟକ ସହର ମେୟରଙ୍କ ଦୁଃଖରେ ଆମେ ଦୁଃଖିତ, ସେ ଭଲରେ ଝାଡ଼ା, ପରିସ୍ରା ଯିବା ଦରକାର । ମେୟର ଭଲରେ ରହିଲେ ସିନା ସହର ସମସ୍ୟା ବୁଝିବେ, ସେଥିପାଇଁ ଜିଲ୍ଲା କଂଗ୍ରେସ ଏ ବାଥରୁମ କବାଟ ଉପହାର ଦେବାକୁ ଆସିଛି।
ଜିଲ୍ଲା କଂଗ୍ରେସର ଏଭଳି ଅଭିନବଭରା ଉପହାର ତଥା ତାଚ୍ଛଲ୍ୟ ସ୍ବରୂପ ବାଥରୁମ୍ କବାଟ ଭେଟିରେ ସିଏମସି କମିଶନର ଥତମତ ହୋଇଯାଇଥିଲେ। ଏତିକିରେ ମାନସ ଅଟକି ନଥିଲେ, ମେୟରଙ୍କ ବାଥରୁମ କବାଟ ଫିଟିଙ୍ଗ ପାଇଁ ୫ ଶହ ଟଙ୍କା ମଧ୍ୟ ଟେବୁଲ ଉପରେ ରଖିଥିଲେ। ଏ ପ୍ରସଙ୍ଗ ପୂରା ସହରରେ ହଇଚଇ ଖେଳାଇ ଦେଇଛି। ମେୟରଂକ ଅଫିସ ବାଥରୁମ କବାଟ ଭାଂଗିଯାଇଥିବା କଥା ସେ ସବୁବେଳେ କହି ବୁଲୁଥିବାରୁ ଶ୍ରୀ ଚୌଧୁରୀ ଏମିତିକା ପଦକ୍ଷେପ ନେଇ ମେୟର ସୁବାସ ସିଂଙ୍କ ନିଦ ହଜାଇ ଦେଇଛନ୍ତି ।




admin 