ମେ’ସୁଦ୍ଧା ୨୫ ଲକ୍ଷ ଲୋକ ହୋଇପାରନ୍ତି ସଂକ୍ରମିତ

ମେ’ସୁଦ୍ଧା ୨୫ ଲକ୍ଷ ଲୋକ ହୋଇପାରନ୍ତି ସଂକ୍ରମିତ

ମେ’ସୁଦ୍ଧା ୨୫ ଲକ୍ଷ ଲୋକ ହୋଇପାରନ୍ତି ସଂକ୍ରମିତ
ନୂଆଦିଲ୍ଲୀ: ଭାରତରେ ଫେବୃୟାରୀ ୧୫ ତାରିଖରୁ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଯାଇଛି । ଏହା ଆସନ୍ତା ମେ ଶେଷ ପର୍ଯ୍ୟନ୍ତ ଜାରି ରହିବ । ତେବେ ଏପି୍ରଲ ମଧ୍ୟଭାଗ ବେଳକୁ ସଂକ୍ରମଣ ଶୀର୍ଷ ସ୍ତରରେ ପହଞ୍ଚିବ । କରୋନାର ଏହି ଦ୍ୱିତୀୟ ଲହାରୀରେ ଦେଶରେ ୨୫ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେବେ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ର ଆର୍ଥିକ ଅନୁସନ୍ଧାନ ବିଭାଗର ବିଶେଷଜ୍ଞ ଟିମ୍ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଏକଥା ଜଣାପଡ଼ିଛି । ସର୍ଭେ ମୁତାବକ ଦ୍ୱିତୀୟ ଲହରୀର ପ୍ରକୋପ ଦେଶର ପାଖାପାଖି ୧୦୦ ଦିନ ପର୍ଯ୍ୟନ୍ତ ରହିବେ । ମଧ୍ୟ ଏପି୍ରଲରୁ ମଧ୍ୟ-ମେ’ ପର୍ଯ୍ୟନ୍ତ ସଂକ୍ରମଣ ଶୀର୍ଷ ସ୍ତରରେ ରହିବ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି । ଗତବର୍ଷ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ସଂକ୍ରମଣ ଶୀର୍ଷରେ ଥିଲା । ସେହି ସମୟରେ ଦେଶରେ ପ୍ରତ୍ୟେକ ଦିନ ୯୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ । ତାପରଠୁ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଲା । କିନ୍ତୁ ଏବେ ସଂକ୍ରମିତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଦେଖାଯାଉଥିବାରୁ ପୁଣି ଥରେ ସଂକ୍ରମଣ ଗ୍ରାଫ ଶୀର୍ଷ ଛୁଇଁବ ବୋଲି ଆଶଙ୍କା କରାଯାଉଛି । ଏସବିଆଇ ୨୮ ପୃଷ୍ଠା ବିଶିଷ୍ଟ ସର୍ଭେ ରିପୋର୍ଟ ଜାରି କରିଛି । ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ ଦେଶରେ ଦେଖାଯାଇଥିବା କରୋନାର ଦ୍ୱିତୀୟ ଲହରୀରେ ୨୫ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେବେ । ଜିଲ୍ଲା ସ୍ତରୀୟ ଲକଡାଉନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲଗାଯାଉଥିବା କଟକଣା ସଂକ୍ରମଣକୁ ରୋକିବାରେ ସେତେଟା ପ୍ରଭାବୀ ହେବ ନାହିଁ ।