"ସର୍ବକ୍ଷମା'ରେ ଆଉ କ୍ଷମା ନାହିଁ ...
"ସର୍ବକ୍ଷମା'ରେ ଆଉ କ୍ଷମା ନାହିଁ ...
admin
Jan 23, 2020 - 07:09
Updated: Jan 23, 2020 - 07:09
ଭୁବନେଶ୍ୱର - ସହରାଞ୍ଚଳରେ ବେଆଇନ୍ ନିର୍ମାଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଆଉ ବଢ଼ିବନି ସର୍ବକ୍ଷମାର ସମୟ ସୀମା । ଫେବ୍ରୁଆରି ୫ ପରେ କଡ଼ାକଡ଼ି ଲାଗୁ ହେବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି କୌଣସି ବ୍ୟକ୍ତି ସହରାଞ୍ଚଳରେ ବେଆଇନ୍ ନିର୍ମାଣ କରିଥିବେ, ତେବେ ତାଙ୍କୁ ଆଉ ସର୍ବକ୍ଷମା ସୁବିଧା ମିଳିବନି । ଏପରିକି ଯେଉଁମାନେ ବେଆଇନ୍ ନିର୍ମାଣ କରିଥିବା ଉଚ୍ଚ ଅଟ୍ଟାଳିକା କିମ୍ବା ପ୍ଲଟଧାରୀ ସର୍ବକ୍ଷମାରେ ଆବେଦନ କରି ନଥିବେ ତାଙ୍କ କ୍ଷେତ୍ରରେ ବି କଡ଼ା ପଦକ୍ଷେପ ନିଆଯିବ । ୨୦୧୮ ଜୁନ ୨୦ରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସର୍ବକ୍ଷମା ଯୋଜନା ଆରମ୍ଭ କରାଯାଇଥିଲା । ଯାହାକି ୨୦୧୯ ଜୁନ୍ ୧୯ରେ ଶେଷ ହୋଇଥିଲା । ତେବେ ଆଶାତୀତ ହିତାଧିକାରୀ ଆବେଦନ କରି ନଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବକ୍ଷମା ଆବେଦନର ଅବଧିକୁ ଆଉ ୬ ମାସ ବୃଦ୍ଧି କରାଯାଇଥିଲା । ତେବେ ସର୍ବକ୍ଷମା ଯାଜନାରେ ଥିବା ନିୟମ କୋହଳ ହେଉ ନ ଥିବାରୁ ବହୁ ଲୋକ ଆବେଦନ କରୁ ନ ଥିବା ଜଣାପଡ଼ିଛି । ମହାନଗର ନିଗମ, ମୁ୍ୟନିସିପାଲିଟି, ଏନ୍ଏସି ଓ ଗ୍ରାମାଞ୍ଚଳ ଭଳି ୪ଟି ଭାଗରେ ଏହାକୁ ବିଭକ୍ତ କରାଯାଇଥିଲା । କମ୍ପାଉଣ୍ଡିଂ ଫି, ଏଫଏଆର ମୂଲ୍ୟ (ବେଞ୍ଚମାର୍କ ମୁଲ୍ୟ) ଓ ପାର୍କିଂ ଫି' ହିସାବ କରି ଜରିମାନା ଧାର୍ଯ୍ୟ କରାଯାଇଥିଲା । ବିଭିନ୍ନ କର୍ତ୍ତୃପକ୍ଷଙ୍କ ପାଇଁ ଭିନ୍ନ ନିୟମ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତାଷ ରହିଥିଲା । ତେଣୁ ସମୟ ସୀମାକୁ ଫେବ୍ରୁଆରି ୫ ଯାଏ ବଢ଼ାଯାଇଥିଲା । ଏହାପରଠାରୁ ଯେଉଁମାନେ ସର୍ବକ୍ଷମାରେ ଆବେଦନ ନକରି ବେଆଇନ୍ ନିର୍ମାଣ କରିଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନା ଅନୁଯାୟୀ ବିଭିନ୍ନ କାରଣରୁ ସରକାରୀ ଅନୁମୋଦନ ନେଇ ନଥିବା ତଥା ଅନୁମୋଦିତ ନକ୍ସାରେ ବ୍ୟତିକ୍ରମ କରି ଗୃହ ନିର୍ମାଣ କରିଥିବା ବ୍ୟକ୍ତିବିଶେଷଙ୍କ ଲାଗି ରାଜ୍ୟ ସରକାର "ସର୍ବକ୍ଷମା' ଯୋଜନା କରିଥିଲେ । ଏହି ଯୋଜନା ଅନୁସାରେ ହିତାଧିକାରୀ ଜରିମାନା ଦେଇ ଅନିୟମିତତାକୁ ନିୟମିତ କରିପାରିବେ । ରାଜ୍ୟର ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷ ଓ ଆଞ୍ଚଳିକ ବିକାଶ ପରିଷଦ ଏବଂ ପୌର ସଂସ୍ଥା ଅଧୀନରେ ଥିବା ନିର୍ମାଣ ଲାଗି ଏହା ଉଦ୍ଧିଷ୍ଟ ରହିବ । ମହାନଗର ନିଗମ ଅଞ୍ଚଳ ବାସଗୃହ ପାଇଁ ବର୍ଗମିଟର ପିଛା ୧୦ ହଜାର ଟଙ୍କା ଓ ବ୍ୟାବସାୟିକ କୋଠା ପାଇଁ ୧୭ ହଜାର ୫୦୦ ଟଙ୍କା, ପୌରାଞ୍ଚଳରେ ବାସଗୃହ ପାଇଁ ବର୍ଗ ମିଟର ପିଛା ୮ ହଜାର ଓ ବ୍ୟାବସାୟିକ କୋଠା ପାଇଁ ୧୫ ହଜାର, ଏନଏସିରେ ବାସଗୃହ ପାଇଁ ବର୍ଗମିଟର ପିଛା ୬ ହଜାର ଓ ବ୍ୟାବସାୟିକ କୋଠା ପାଇଁ ୧୩ ହଜାର, ଉନ୍ନୟନ କର୍ତ୍ତୃପକ୍ଷ ଅନ୍ତର୍ଗତ ଗ୍ରାମାଞ୍ଚଳରେ ବାସଗୃହ ପାଇଁ ବର୍ଗ ମିଟର ପିଛା ୫ ହଜାର ଓ ବ୍ୟବସାୟିକ କୋଠା ପାଇଁ ୧୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି ।