ସିଦ୍ଧୁଙ୍କୁ ହରାଇଲେ ପ୍ୟାଡ୍ ଓମେନ୍, ଚନ୍ନିଙ୍କୁ ହରାଇଲେ ମୋବାଇଲ୍ ମେକାନିକ୍
ସିଦ୍ଧୁଙ୍କୁ ହରାଇଲେ ପ୍ୟାଡ୍ ଓମେନ୍, ଚନ୍ନିଙ୍କୁ ହରାଇଲେ ମୋବାଇଲ୍ ମେକାନିକ୍
ଚଣ୍ଡିଗଡ଼: ପଞ୍ଜାବରେ ଆମ ଆଦମୀ ପାର୍ଟିକୁ ମିଳିଛି ବମ୍ପର ବିଜୟ। ଆପ୍ର ସୁନାମିରେ ଟଳି ବଡ଼ିଛି ବଡ଼ ବଡ଼ ଚେହେରା। ତେବେ ଚର୍ଚ୍ଚାରେ ରହିଛି ଆପ୍ର ଏମିତି ପ୍ରାର୍ଥୀଙ୍କୁ ନେଇ ଯେଉଁମାନେ ରାଜନୀତିରେ ନୂଆ ହେଲେ ମଧ୍ୟ କଂଗ୍ରେସ ଓ ଅକାଳୀ ଦଳର ଧୂରନ୍ଧରଙ୍କୁ ପରାଜିତ କରିଛନ୍ତି। ଚର୍ଚ୍ଚିତ ଆପ୍ ନେତା ହେଲେ ଜୀବନ ଜ୍ୟୋତ କୌର ଓ ଲବ ସିଂହ ୟୁଗୋକେ।
ଜୀବନ ଜ୍ୟୋତ ଅମୃତସର ଇଷ୍ଟିରୁ ନିର୍ବାଚନ ଲଢ଼ିଥିଲେ। ସେ ପେଶାରେ ଜଣେ ମହିଳା ସ୍ୱେଚ୍ଛାସେବୀ। ପଞ୍ଜାବର ପ୍ୟାଡ୍ ଓମେନ୍ ଭାବେ ସେ ବେଶ ଜଣାଶୁଣା। ତାଙ୍କ ବିପକ୍ଷରେ କଂଗ୍ରେସର ନବଜୋତ ସିଂହ ସିଦ୍ଧୁ ଓ ଅକାଳୀ ଦଳର ବିକ୍ରମ ମାଜିଥିଆ ପ୍ରାର୍ଥୀ ହୋଇଥିଲେ। ସେମାନେ କେବେ ବି ନିର୍ବାଚନ ହାରି ନଥିଲେ। ଜୀବନ ଜ୍ୟୋତ ଉଭୟଙ୍କୁ ହରାଇ ଅମୃତସର ଇଷ୍ଟରୁ ଜିତିଛନ୍ତି।
ଆପର ଲବ ସିଂହ କାର୍ୟ୍ୟରତ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଭଦୌର ଆସନରୁ ପ୍ରାୟ ୪୦ ହଜାର ଭୋଟ ବ୍ୟବଧାନରେ ହରାଇଛନ୍ତି। ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଏପରି ଢଙ୍ଗରେ ମାତ ଦେବା ସମ୍ଭବତଃ ଭାରତୀୟ ରାଜନୀତିରେ ପ୍ରଥମ ଘଟଣା।
ଏହି ବିଜୟ ପରେ ଆପ୍ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଲବ ସିଂହ ଅତି ସାଧାରଣ ପରିବାରରୁ ଆସିଛନ୍ତି। ସେ ଗୋଟିଏ ମୋବାଇଲ ମରାମତି ଦୋକାନରେ କାମ କରନ୍ତି। ତାଙ୍କ ମା’ ସରକାରୀ ସ୍କୁଲରେ ସଫେଇ କର୍ମଚାରୀ। ବାପା ହେଉଛି ଫାର୍ମ ଶ୍ରମିକ। ଧନ ସମ୍ପତ୍ତି କହିଲେ ଲବ ସିଂହଙ୍କ ପାଖରେ କିଛି ନାହିଁ। ସେ ଦ୍ୱାଦଶ ଶ୍ରେଣୀ ଯାଏ ପାଠ ପଢ଼ିଛନ୍ତି। ନିର୍ବାଚନ ପ୍ରଚାର ବେଳେ ସେ କେବଳ ଲୋକଙ୍କୁ ଥରେ ସୁଯୋଗ ଦେବାକୁ କହିଥିଲେ। ଲୋକମାନେ ମଧ୍ୟ ଲବ ସିଂହଙ୍କ ଅନୁରୋଧକୁ ରଖିଛନ୍ତି। ଭଦୌରର ଲୋକମାନେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ବଦଳରେ ତାଙ୍କୁ ଜିତାଇ ନୂଆ ଟ୍ରେଣ୍ଡ ଆରମ୍ଭ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଚନ୍ନି ଭଦୌରର ବ୍ୟତୀତ ଚମକୌର ସାହେବ ଆସନରୁ ମଧ୍ୟ ନିର୍ବାଚନ ଲଢ଼ିଥିଲେ। ହେଲେ ଏଠାରେ ତାଙ୍କୁ ଆପ୍ର ଡା ଚରଣଜିତ ସିଂହ ହରାଇଛନ୍ତି। ଡା ଚଣ ଚରଣଜିତ ସିଂହ ଜଣେ ସାମାଜିକ କର୍ମୀ। ସେ ପେଶାରେ ଜଣେ ଆଖି ଡାକ୍ତର।




admin 