ଗହଣା ବ୍ୟବସାୟୀ ନିଖୋଜ
ଗହଣା ବ୍ୟବସାୟୀ ନିଖୋଜ
admin
Mar 19, 2021 - 06:21
Updated: Mar 19, 2021 - 06:21
ସୋର : ସୁନା କିଣିବେ ବୋଲି ବ୍ୟବସାୟୀଙ୍କୁ ଡାକିଲେ। ବ୍ୟବସାୟୀ ଜଣଙ୍କ ୪୦ ଗ୍ରାମ ସୁନା ଗହଣା ନେଇ ବାହାରି ଯାଇଥିଲେ। ହେଲେ ତା’ ପରଠୁ ତାଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଛି। ପରିବାର ଲୋକ ବିଭିନ୍ନ ଜାଗାରେ ଖୋଜାଖୋଜି କରି ନୟାନ୍ତ ହେବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ୍ ତନାଘନା ଚଳାଇଥିଲେ ମଧ୍ୟ କିଛି ସୂଚନା ପାଇପାରିନି। ନିଖୋଜ ବ୍ୟବସାୟୀ ଜଣଙ୍କ ହେଉଛନ୍ତି ପ୍ରହଲ୍ଲାଦ ବେହେରା। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ଅଟପୁର ଅଞ୍ଚଳରେ। ସୋରରୁ କୁପାରିକୁ ଯାଇଥିବା ରାସ୍ତାର ବେଲଦା ଛକରେ ପ୍ରହଲ୍ଲାଦଙ୍କ ‘ଶୁଭମ୍ ଜୁଏଲାରୀ’ ନାମକ ଏକ ଗହଣା ଦୋକାନ କରିଛନ୍ତି। ଗତକାଲି ସକାଳେ ଦାଣ୍ଡହରିପୁର ଅଞ୍ଚଳର ସୁମନ୍ତ ମଳିକ ନାମକ ଯୁବକ ଗହଣା କିଣିବା ପାଇଁ ପ୍ରହଲ୍ଲାଦଙ୍କୁ ତାଙ୍କ ଘରକୁ ଡକାଇଥିଲେ। ପ୍ରହଲ୍ଲାଦ ୪୦ ଗ୍ରାମ ସୁନା ଗହଣା ନେଇ ଏକ ବାଇକ୍ ଯୋଗେ ଦିନ ପ୍ରାୟ ୧୧ଟା ବେଳେ ଦାଣ୍ଡହରିପୁର ଯାଇଥିଲେ । ମାତ୍ର ତାଙ୍କ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ତାଙ୍କ ମୋବାଇଲ୍କୁ ଫୋନ୍ କରିଥିଲେ। ହେଲେ ଫୋନଟି ସୁଇଚ୍ ଅଫ୍ ଆସିଥିଲା। ଏହାପରେ ପରିବାର ଲୋକେ ବିଭିନ୍ନ ଜାଗାରେ ଖୋଜାଖୋଜି କରିଥିଲେ। କିନ୍ତୁ ପ୍ରହଲ୍ଲାଦଙ୍କ କିଛି ଖୋଜ ଖବର ପାଇ ନଥିଲେ। ଅନ୍ୟପକ୍ଷରେ ପ୍ରହଲ୍ଲାଦଙ୍କ ଘରକୁ ଫୋନ୍ କରି ସୁମନ୍ତ ମଲିକ କହିଥିଲେ ଯେ ତାଙ୍କୁ କିଛି ଲୋକ ଅଟକ ରଖିଛନ୍ତି। ଏହାପରେ ଫୋନଟି କଟିଯାଇଥିଲା । ପରେ ସେହି ନମ୍ବରରେ ପରିବାର ଲୋକେ ଫୋନ କରିଥିଲେ ମଧ୍ୟ ଫୋନଟି ସୁଇଚ ଅଫ୍ ଦେଖାଇଥିଲା। ପରେ ପରିବାର ଲୋକେ ଏନେଇ ସୋର ଥାନାରେ ଅଭିଯୋଗ କରିଥିଲେ । ସୋର ପୁଲିସ୍ ଘଟଣାର ତନାଘନା ଚଳାଇଛି।