୫ଟି ରାଜ୍ୟରେ ପ୍ରବଳ ବର୍ଷା, ଗୁଜରାଟରେ ୬୩ ଜଣଙ୍କ ଜୀବନ ଗଲାଣି

୫ଟି ରାଜ୍ୟରେ ପ୍ରବଳ ବର୍ଷା, ଗୁଜରାଟରେ ୬୩ ଜଣଙ୍କ ଜୀବନ ଗଲାଣି

 ୫ଟି ରାଜ୍ୟରେ ପ୍ରବଳ ବର୍ଷା, ଗୁଜରାଟରେ ୬୩ ଜଣଙ୍କ ଜୀବନ ଗଲାଣି

ନୂଆଦିଲ୍ଲୀ : ପ୍ରବଳ ବର୍ଷା ଯୋଗୁଁ ଦେଶର ଅନେକ ସ୍ଥାନରେ ବନ୍ୟା । ବିଶେଷ କରି ଦେଶରେ ୫ଟି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି। ଗୁଜରାଟ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଗୁଜରାଟ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ କର୍ଣ୍ଣାଟକରେ ମୋସୁମୀ ସକ୍ରିୟ ଥିବାବେଳେ, ପ୍ରବଳ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଗୁଜରାଟରେ ବର୍ଷା ଓ ବନ୍ୟା କାରଣରୁ ୬୩ ଜଣଙ୍କ ଜୀବନ ଗଲାଣି । ଗୁଜରାଟରେ ବନ୍ୟା ସ୍ଥିତି ଭୟଙ୍କର ହୋଇଥିବା ବେଳେ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବନ୍ୟାରେ ପ୍ରଭାବିତ ଲୋକମାନଙ୍କ ସହାୟତା ପାଇଁ କେନ୍ଦ୍ର ପୂର୍ଣ୍ଣ ସହଯୋଗ କରିବ ବୋଲି ସେ ଆଶ୍ବାସନା ଦେଇଛନ୍ତି। ସେହିଭଳି ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ମଧ୍ୟ ବର୍ଷା ଲୋକଙ୍କର ଚିନ୍ତା ବଢ଼ାଇଛି ।

ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର ଏବଂ ଜବଲପୁର ସମେତ ୩୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେପଟେ ତେଲେଙ୍ଗାନାର ଗୋଦାବରୀ ନଦୀ ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି। ଏହାଦ୍ବାରା ଭଦ୍ରାଚଳମରେ ବନ୍ୟା ଆସିବାର ଆଶଙ୍କା ଦେଖାଦେଇଛି । କର୍ଣ୍ଣାଟକରେ ମଧ୍ୟ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । ବିହାର , ଝାଡ଼ଖଣ୍ଡ, ଉତ୍ତରପ୍ରଦେଶରେ ବି ଅନେକ ସ୍ଥାନରେ ପ୍ରବଳ ବର୍ଷା ଲାଗିଛି ।