ଦେବଗଡ଼ରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଦେବଗଡ଼ରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଦେବଗଡ଼ରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

 ଦେବଗଡ଼: ଦେବଗଡ଼ ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଡ ବଣ୍ଟନ କରିଛନ୍ତି। ଜିଲ୍ଲାର ୨ ଲକ୍ଷ ୭୦ ହଜାର ଲୋକ ଏହି ସୁବିଧା ପାଇବେ। ଏହି ଅବସରରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେବଗଡ଼ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ୟ୍ୟ ଅତି ମନୋରମ ଏବଂ ଏହା ଓଡ଼ିଶା ପାଇଁ ପ୍ରକୃତିର ଏକ ବରଦାନ। ପ୍ରଶାସନକୁ ଲୋକଙ୍କ ନିକଟକୁ ନେବା ପାଇଁ ବିଜୁ ବାବୁ ଏହାକୁ ଏକ ସ୍ୱତନ୍ତ୍ର ଜିଲ୍ଲା କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିଜୁବାବୁଙ୍କ ମହାନ ଉଦ୍ଦେଶ୍ୟକୁ ଆଖିରେ ରଖି ରାଜ୍ୟ ସରକାର ଦେବଗଡରେ ବିକାଶ କାର୍ୟ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେବଗଡ଼ ଜିଲ୍ଲାରେ ଆଜି ୭ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଥିରେ ୫୭୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଥିବା ବେଳେ ୧୩୬ କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ କରାଯାଇଛି।

ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହାଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ। ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ଼ ବଡ଼ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ବୋଲି ସେ କହିଥିଲେ।

କାର୍ୟ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ସେମାନଙ୍କ ଭାଷଣରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ଓ କଲ୍ୟାଣ କାର୍ୟ୍ୟକ୍ରମ ବିଶେଷ କରି ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଯୋଜନା ଦେଶରେ ଓଡ଼ିଶାର ସମ୍ମାନ ବଢ।ଇଛି ବୋଲି ମତ ଦେଇଥିଲେ। । ପୂର୍ବରୁ ରାଜ୍ୟର ପାଞ୍ଚଟି ଜିଲ୍ଲା ମାଲକାନଗିରି, ସୁନ୍ଦରଗଡ଼, ବଲାଙ୍ଗୀର, ଗଜପତି ଏବଂ ପୁରୀରେ ଏହି କାର୍ୟ୍ୟକ୍ରମ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ ଲକ୍ଷ ଲୋକ ଏହି ସ୍ମାର୍ଟ ହେଲ୍ଥ କାର୍ଡ ପାଇଥିବା ବେଳେ, ୧୦,୬୫୭ ଜଣ ହିତାଧିକାରୀ ବିଭିନ୍ନ ଘରୋଇ ଡାକ୍ତରଖାନାରେ କୋଡ଼ିଏ କୋଟି ଟଙ୍କାର ସ୍ବାସ୍ଥ୍ୟ ସୁବିଧା ପାଇଲେଣି ହିତାଧିକାରୀମାନେ ବିନା ଖର୍ଚ୍ଚରେ ଉନ୍ନତ ସ୍ବାସ୍ଥ୍ୟସେବା ପାଉଛନ୍ତି।