ନବଙ୍କ ହତ୍ୟା ପଛରେ ବିରାଟ ଷଡ଼ଯନ୍ତ୍ର ରହିଛି: ପିସିସି ସଭାପତି
ନବଙ୍କ ହତ୍ୟା ପଛରେ ବିରାଟ ଷଡ଼ଯନ୍ତ୍ର ରହିଛି: ପିସିସି ସଭାପତି
ଭୁବନେଶ୍ୱର : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜନୈତିକ କାଦୁଅ ଫିଙ୍ଗା ତୀବ୍ର ହେବାରେ ଲାଗିଛି। ଏହି ଘଟଣାରେ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନେତୃବୃନ୍ଦ ରାଜ୍ୟର ଶାସନ କ୍ଷମତାରେ ଥିବା ବିଜେଡିକୁ କାଠଗଡାକୁ ଟାଣିବାକୁ ପ୍ରଚେଷ୍ଟା କରୁଥିବାବେଳେ ବିଜେଡି ପକ୍ଷରୁ ଅଦାଲତ ଉପରେ ଭରସା ରଖିବାକୁ କୁହାଯାଇଛି। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ନବଙ୍କ ହତ୍ୟା ପଛରେ ବିରାଟ ଷଡ଼ଯନ୍ତ୍ର ରହିଛି। ପାଇଖାନା ଟାଙ୍କିରୁ ନଷ୍ଟ ହୋଇ ନଥିବା ଚିଠି ବାହାରିବା ଗପ ଭଳି ଲାଗୁଛି। ପୁରା ମାମଲାରେ ମୁଖ୍ୟମନ୍ତ୍ରୀ ନିରବତା ଅବଲମ୍ବନ କରୁଛନ୍ତି। କ୍ରାଇମବ୍ରାଞ୍ଚ ଉପରେ କାହାର ଭରସା ନାହିଁ। ସିଟିଂ ଜଜଙ୍କ ତତ୍ତ୍ୱାବଧାନ କିମ୍ବା ସିବିଆଇ ତଦନ୍ତ ହେଲେ ଘଟଣା କ’ଣ ଜଣାପଡ଼ିବ ବୋଲି ସେ କହିଥିଲେ। ପ୍ରଭୁ ଜଗନ୍ନାଥଙ୍କ ଉପରେ ସବୁ ଛାଡ଼ିଦେଲେ ଚଳିବନି। କଂେଗ୍ରସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ପୁଲିସ ବିଭାଗରେ ଦକ୍ଷ ଅଫିସ ଥିଲେ ବି ସେମାନଙ୍କୁ ନିରପେକ୍ଷ ତଦନ୍ତ କରିବାକୁ ଦିଆଯାଉନି। ଅଭିଯୁକ୍ତ ଦୋଷ ମାନିବା ନେଇ ମାଜିଷ୍ଟ୍ରେଟଙ୍କ ଆଗରେ ରେକର୍ଡ ପ୍ରସ୍ତୁତ କରାଯାଇନି। ଗୁଳି ମନ୍ତ୍ରୀଙ୍କ ହୃତପିଣ୍ଡରେ ବାଜିଥିବା ବେଳେ ରାସ୍ତା ଉପରେ ପୁଲିସ ଖୋଜିବା ନେଇ ସେ ଆଶ୍ଚର୍ୟ୍ୟ ପ୍ରକଟ କରିଛନ୍ତି। ଏହି ମାମଲାର ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏସ୍ଆଇଟି ଦ୍ୱାରା ତଦନ୍ତ କରାଇବା ଏବଂ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଗୃହ ବିଭାଗ ଛାଡନ୍ତୁ ବୋଲି ସେ ଦାବି କରିଛନ୍ତି।




admin 