ଶ୍ରୀଲଙ୍କା ସ୍ଥିତି ଅଣାୟତ୍ତ, ଗୁଳିମାଡ଼ରେ ସାଂସଦ ମୃତ

ଶ୍ରୀଲଙ୍କା ସ୍ଥିତି ଅଣାୟତ୍ତ, ଗୁଳିମାଡ଼ରେ ସାଂସଦ ମୃତ

ଶ୍ରୀଲଙ୍କା ସ୍ଥିତି ଅଣାୟତ୍ତ, ଗୁଳିମାଡ଼ରେ ସାଂସଦ ମୃତ

କଲମ୍ବୋ: ଶ୍ରୀଲଙ୍କାର ରାଜନୈତିକ ସ୍ଥିତି ସଂପୂର୍ଣ୍ଣ ବିଗିଡ଼ି ଯାଇଛି। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ନିଜ ପଦରୁ ଇସ୍ତଫା ଦେବା ପରେ ତାଙ୍କ ସମର୍ଥକମାନେ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି। ରାଜପକ୍ଷଙ୍କ ସମର୍ଥକ ଓ ସରକାରଙ୍କୁ ବିରୋଧ କରୁଥିବା ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷ ସ୍ଥିତିକୁ ଅଣାୟାତ୍ତ କରିଛି। ସେହିପରି ଏହି ସଂଘର୍ଷ ବେଳେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଶାସକ ଦଳର ଜଣେ ସାଂସଦଙ୍କ ମୃତ୍ୟୁ ମଧ୍ୟ ଘଟିଛି। ଏଥିସହ ଉଭୟ ପକ୍ଷର ଅନେକ ଲୋକ ଆହତ ହୋଇଛନ୍ତି। ଏହାକୁ ନେଇ ପୂରା ଶ୍ରୀଲଙ୍କା ଏବେ ଅଶାନ୍ତ ହୋଇ ଉଠିଛି। ଦେଶରେ ଜରୁରୀ ପରିସ୍ଥିତି ଲାଗୁ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କୁ ସ୍ୱତନ୍ତ୍ର କ୍ଷମତା ମିଳିଛି। ତଥାପି ପୋଡ଼ାଜଳା ଓ ରକ୍ତାକ୍ତ ସଂଘର୍ଷ ଦେଖାଯାଉଛି।

ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାରେ ଆଜି ସକାଳୁ ହିଁ ହିଂସା ସୃଷ୍ଟି ହୋଇଥିଲା। ରାଜପକ୍ଷଙ୍କ ସମର୍ଥକମାନେ ଏପ୍ରିଲ ୯ରୁ ରାଷ୍ଟ୍ରପତିଙ୍କ ଅଫିସ ସାମ୍ନାରେ ବିକ୍ଷୋଭ କରୁଥିବା ଲୋକମାନଙ୍କୁ ଆକ୍ରମଣ କରିଥିଲେ। ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ଘଟିଥିଲା।

ସନ୍ଧ୍ୟା ସମୟରେ ସ୍ଥିତି ଆହୁରି ଉତ୍କଟ ହୋଇଥିଲା। ଆକ୍ରମଣର ଶିକାର ହୋଇଥିବା ବିକ୍ଷୋଭକାରୀମାନେ ସନ୍ଧ୍ୟାରେ ଏକାଠି ହୋଇ ଏକାଧିକ ବସ୍ରେ ନିଆଁ ଲଗାଇ ଦେଇଥିଲେ। ଏଥିସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବାପା ମା’ଙ୍କ ଉଦ୍ଦେଶ୍ୟରେ ତିଆରି ହୋଇଥିବା ସ୍ମୃତିପୀଠକୁ ମଧ୍ୟ ଭାଙ୍ଗି ଦେଇଥିଲେ। ବିକ୍ଷୋଭକାରୀମାନେ ଦୁଇ ଜଣ ପୂର୍ବତନ ମନ୍ତ୍ରୀଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି।

ବିକ୍ଷୋଭକାରୀମାନେ ଏତିକିରେ ଚୁପ ବସି ନଥିଲେ। ସାଂସଦ ଅମରକୀର୍ତ୍ତି ଅଥୁକୋରାଲା କାର୍ରେ ଆସୁଥିବା ବେଳେ ନିତ୍ତାମବୁୱା ଠାରେ ଦୁଇ ଜଣ ବିକ୍ଷୋଭକାରୀ ତାଙ୍କୁ ଅଟକାଇଥିଲେ। ଏହାପରେ ସେମାନେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ଅମରକୀର୍ତ୍ତି ନିକଟସ୍ଥ ବିଲଡିଂକୁ ପ୍ରାଣ ବିକଳରେ ଚାଲି ଯାଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ସ୍ଥିତି ଅଣାୟାତ୍ତ ହେବାରୁ ପୁଲିସ୍ ଟିୟର ଗ୍ୟାସ ସହ ବିକ୍ଷୋଭକାରୀଙ୍କ ଉପରକୁ ପାଣି ମାଡ଼ କରିଥିଲା। ଏହାପରେ ତୁରନ୍ତ କଲମ୍ବୋରେ କର୍ଫ୍ୟୁ ଲାଗୁ କରିଛି। ଏହି ସଂଘର୍ଷରେ ୧୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର ସକାଳ ୭ଟା ଯାଏ କର୍ଫ୍ୟୁ ଲାଗୁ ହୋଇଥିବାରୁ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ ଚାଲିଛି।