୧୧୩୯୭ ଗାଁରେ କଟିବ ଲାଇନ
୧୧୩୯୭ ଗାଁରେ କଟିବ ଲାଇନ
admin
Jan 10, 2020 - 07:08
Updated: Jan 10, 2020 - 07:08
ଭୁବନେଶ୍ୱର - ଜାନୁଆରି ୧୫ସୁଦ୍ଧା ଯେଉଁମାନଙ୍କର ବିଦୁ୍ୟତ୍ ବିଲ୍ ବକେୟା ଅଛି ତାହା ତୁରନ୍ତ ପୈଠ ନକଲେ ବିଦୁ୍ୟତ ସଂଯୋଗ କଟାଯିବ । ଜାନୁଆରି ୧୬ରୁ ଫେବ୍ରୁଆରି ୫ ମଧ୍ୟରେ ସେସୁର ୪୧୩ଟି ସ୍କ୍ୱାଡ୍ ୧୧୩୯୭ଟି ଗାଁ ବୁଲିବୁଲି ବିଦୁ୍ୟତ୍ ବିଲ୍ ବକେୟା ଥିବା ଲୋକଙ୍କ ଘରୁ ବିଦୁ୍ୟତ ସଂଯୋଗ କାଟିବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା ଗୁରୁବାର ଚେତାଇ ଦେଇଛନ୍ତି ।
ଏହି ଅଭିଯାନରେ ପ୍ରାୟ ୭ଲକ୍ଷ ଘରୁ ବିଦୁ୍ୟତ ସଂଯୋଗ କାଟିବାକୁ ସେସୁ ଲକ୍ଷ୍ୟ ରଖିଛି । ସେସୁର ୨୦ଟି ଡିଭିଜନରେ, ୬୫ଟି ସବ୍ଡିଭିଜନରେ, ୨୪୭ଟି ସେକ୍ସନରେ ୧୬୪୩ଟି ରୁଟ୍ରେ ବିଦୁ୍ୟତ ସଂଯୋଗ କଟା ଅଭିଯାନ ହେବ । ୧୮ଦିନରେ ଏହି ସ୍କ୍ୱାଡ୍ ସବୁ ଖିଲାପକାରୀଙ୍କ ଘରୁ ବିଦୁ୍ୟତ ସଂଯୋଗ କାଟିଦେବ । ଗୋଟିଏ ସ୍କ୍ୱାଡ୍ ଦିନକୁ ୩ରୁ ୪ଟି ଗାଁ ବୁଲି ବୁଲି ଏହି ସଂଯୋଗ କାଟିବାକୁ ନିଷ୍ପତ୍ତି ହୋଇଛି ।
ଗୁରୁବାର ସେସୁ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବୋଥ୍ରା କହିଛନ୍ତି ଯେ, ଆମେ ବକେୟା ବିଲ୍ ଆଦାୟ ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ପରେ ପ୍ରାୟ ୨୪ଦିନରେ ୧ଲକ୍ଷ ୧୦ହଜାର ଲୋକ ସେମାନଙ୍କ ବକେୟା ବିଦୁ୍ୟତ୍ ବିଲ୍ ପୈଠ କରିଛନ୍ତି । ଏଥିରେ ୨୧କୋଟି ଆଦାୟ ହୋଇଛି । ହେଲେ ପ୍ରାୟ ୮ଲକ୍ଷ ଲୋକଙ୍କ ଉପରେ ମୋଟ୍ ୧୯୭୧ କୋଟି ବକେୟା ଥିବାବେଳେ ଏଥିରୁ ଏବେ ସୁଦ୍ଧା ମାତ୍ର ୨୧କୋଟି ଆଦାୟ ହୋଇଛି । ଆହୁରି ୧୯୫୧କୋଟି ବାକି ଅଛି ।
ଏବେ ବି ୧୯୫୧କୋଟି ଟଙ୍କା ବାକି ଥିବାବେଳେ ସେସୁ ପକ୍ଷରୁ ବକେୟା ବିଲ୍ ଆଦାୟ ପାଇଁ ତିନିଟି ସ୍କିମ୍ କରାଯାଇଛି । ଏଥିରେ ଯେଉଁମାନଙ୍କର ୨୫ହଜାର ପର୍ଯ୍ୟନ୍ତ ବିଲ୍ ବାକି ଅଛି ସେମାନେ ଏବେ ଏହାର ୩୦% ଡାଉନପେମେଣ୍ଟ ଦେଇ ବକେୟା ବିଲ୍ ତିନିଟି କିସ୍ତିରେ ଦେଇପାରିବେ । ସେହିପରି ୨୫ରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଯାହାର ବିଦୁ୍ୟତ୍ ବିଲ୍ ବାକି ଥିବ, ସେମାନେ ଏବେ ବିଲ୍ର ୩୦% ଡାଉନପେମେଣ୍ଟ ଆକାରରେ ଦେଇ ବକେୟା ବିଲ୍ ୪ଟି କିସ୍ତିରେ ଦେଇପାରିବେ । ୫୦ହଜାରରୁ ଅଧିକ ଯେଉଁମାନଙ୍କର ବକେୟା ବିଲ୍ ଅଛି ସେମାନେ ଏବେ ୩୦% ଡାଉନପେମେଣ୍ଟ ଦେଇ ବାକି ଟଙ୍କା ୬ଟି କିସ୍ତିରେ ଦେଇପାରିବେ । ଯଦି କେହି ୩୦% ଡାଉନେପମେଣ୍ଟ ଦେବେ ତେବେ ତାଙ୍କର ଏବେ ବିଦୁ୍ୟତ୍ କାଟ ହେବନି । କିନ୍ତୁ ଜାନୁଆରି ୧୫ ମଧ୍ୟରେ ବିଲ୍ ଦେବା ଦରକାର ।
ବକେୟା ବିଲ୍ ଦେବା ପାଇଁ ସେସୁ ପକ୍ଷରୁ ୧୨୫୧.୩୬ କୋଟି ବାକି ଥିବା ୮ଲକ୍ଷ ୩୬ହଜାର ୨୬୯ଜଣ ଘରୋଇ ଗ୍ରାହକ, ୨୪୩କୋଟି ବକେୟା ବିଲ୍ ପାଇଁ ୫୯,୧୯୦ଜଣ ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ୍ ହୋଇଛି । ଏହାସହ ଲିଫ୍ଲେଟ୍, ମାଇକ୍ ପ୍ରଚାର ମାଧ୍ୟମରେ ସେସୁ ପକ୍ଷରୁ ପ୍ରଚାର କରାଯାଇଛି । ହେଲେ ଅଧିକାଂଶ ଲୋକ ବିଲ୍ ଦେଇନଥିବାରୁ ସେସୁ କଠୋର ପଦକ୍ଷେପ ନେବ ବୋଲି ଶ୍ରୀ ବୋଥ୍ରା କହିଛନ୍ତି ।